ବିଜେଡି ନେତାଙ୍କୁ ନିର୍ମମ ହତ୍ୟା : ଗୁଳି, ବୋମାମାଡ଼ ପରେ ଖଣ୍ଡାରେ ହାଣିଲେ

ଭଂଜନଗର/ଶେରଗଡ : ପ୍ରଥମେ ଦୁଇ ରାଉଣ୍ଡ ଗୁଳ! ତା’ପରେ ବୋମାମାଡ଼! ପରେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା! ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଏଭଳି ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଙ୍ଗପୁରର ଜଣାଶୁଣା ବିଜେଡି ନେତା ତଥା ଯୁବ ଠିକାଦାର ସନ୍ୟାସୀ ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।

ସୂଚନା ଅନୁସାରେ, ସ୍ଥାନୀୟ ବଡ଼ଗଡ଼ ଥାନାଠାରୁ ଅଳ୍ପଦୂରରେ ଏହି ଘଟଣା ଘଟିଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଜଣେ ସହଯୋଗୀଙ୍କୁ ବାଇକ୍‌ରେ ବସାଇ ସନ୍ୟାସୀ ଘରକୁ ଫେରୁଥିଲେ। ବଡ଼ଗଡ ଥାନା ଅତିକ୍ରମ କରି ମେଡିକାଲ ଛକରେ ଥିବା ପାନଦୋକାନରେ ସେ ଥଣ୍ଡା ପିଇବାକୁ ଅଟକିଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଦୁଇଟି ନମ୍ବର ବିହୀନ ବାଇକ୍‌ରେ ଆସି ସେଠାରେ ପହଞ୍ଚଥିଲେ। ସେମାନେ ସମସ୍ତେ ମୁହଁରେ କପଡ଼ା ବାନ୍ଧିଥିଲେ। କେହି କିଛି ବୁଝିବା ପୂର୍ବରୁ ପ୍ରଥମେ ସେମାନେ ସନ୍ୟାସୀଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ। ଏଥିସହିତ, ତାଙ୍କ ଉପରକୁ ବୋମା ବି ଫିଙ୍ଗିଥିଲେ। ସନ୍ୟାସୀ ତଳେ ପଡ଼ିଯିବା ପରେ ଧାରୁଆ ଅସ୍ତ୍ରରେ ଅତ୍ୟନ୍ତ ନିର୍ମମ ଭାବେ ହାଣି ପକାଇଥିଲେ। ରକ୍ତାକ୍ତ ଅବସ୍ଥାରେ ସନ୍ୟାସୀ ସେଠାରେ ଛଟପଟ ହୋଇ ପଡ଼ିରହିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ବିଜେଡି ନେତା ସନ୍ୟାସୀ ବିଷୋୟୀଙ୍କ ହତ୍ୟାକାଣ୍ଡକୁ ନେଇ ଭିନ୍ନଭିନ୍ନ କଥା ଶୁଣିବାକୁ ମିଳୁଛି। କେହି କେହି ଏହା ପଛରେ ବଟି ଆଦାୟକୁ କାରଣ ବୋଲି କହୁଛନ୍ତି। ଅନ୍ୟମାନଙ୍କ ମତରେ ପୂର୍ବର ରାଜନୈତିକ ଶତ୍ରୁତାରୁ ଏହିଭଳି ଏକ ହତ୍ୟାକାଣ୍ଡ ଘଟିଛି। ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ଜେଲ୍‌ ଭିତରେ ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ବୋଲି ପୁଲିସ୍‌କୁ ସୁରାକ୍‌ ମିଳିଛି।

ସମ୍ବନ୍ଧିତ ଖବର