ଲାଞ୍ଚ ନେଇ ଧରାପଡ଼ିଲେ ବୁଗୁଡ଼ା ମେଡିକାଲ ଅଫିସର

ବୁଗୁଡ଼ା : ହାର୍ନିଆ ଅସ୍ତ୍ରୋପଚାର ପାଇଁ ଗରିବ ରୋଗୀଙ୍କଠୁ ଲାଞ୍ଚ ମାଗି ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ଗଂଜାମ ଜିଲ୍ଲା ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା.ଗୋପାଳ ଚନ୍ଦ୍ର ରାଓ। ବୁଗୁଡ଼ା ବ୍ଲକ ଘୋଡ଼ାପଡ଼ା ଗ୍ରାମର ନିରଞ୍ଜନ ଗୌଡ଼ଙ୍କଠୁ ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଡା. ରାଓଙ୍କୁ ଭିଜିଲାନ୍‌ସ ଅଧିକାରୀ ମାନେ କାବୁ କରି ନେଇଛନ୍ତି। ବ୍ରହ୍ମପୁର ଭିଜିଲାନସ ଡିଭିଜନରେ ଏନେଇ ମାମଲା ରୁଜୁ ପରେ ତାଙ୍କୁ ଗିରଫ କରାଯାଇଛି। ବୁଗୁଡ଼ା ସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର ସମେତ ବ୍ରହ୍ମପୁର ଏବଂ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ତିନିଟି ସ୍ଥାନରେ ଭିଜିଲାନ୍‌ସ ଅଧିକାରୀ ମାନେ ଛାନ୍‌ଭିନ୍‌ ଜାରି ରଖିଛନ୍ତି।

ଡାକ୍ତର ଗୋପାଳଙ୍କ ସରକାରୀ କ୍ୱାର୍ଟରରୁ ୭୪ ହଜାର ଟଙ୍କା ନଗଦ ଜବତ ହୋଇଥିବା ସୂଚନା ମିଳିଛି। ଖବର ମିଳିବା ସୁଦ୍ଧା ଭିଜିଲାନ୍‌ସ ଅଧିକାରୀ ମାନେ ବ୍ରହ୍ମପୁର ସ୍ଥିତ ନନ୍ଦିଘୋଷ ଆପାର୍ଟମେଣ୍ଟରେ ଥିବା ତାଙ୍କ ଘର, ବିଶାଖାପାଟଣାସ୍ଥିତ ତାଙ୍କର ଶ୍ୱଶୁର ଘରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି। ସେହିପରି ବିଶାଖାପାଟଣାରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଦୁଇଟି ଘରେ ମଧ୍ୟ ଖୋଳତାଡ଼ ଚାଲିଛି। ବର୍ତମାନ ସୁଦ୍ଧା ମୋଟ ଏକ କୋଟି ୭୬ ଲକ୍ଷ ୬୬ହଜାର ୬୨୬ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି। ଗତ ୧୪ ବର୍ଷ ହେଲା ଡାକ୍ତର ଗୋପାଳ ବୁଗୁଡ଼ାରେ ଚାକିରି କରୁଛନ୍ତି।

ନିରଞ୍ଜନ କିଛି ମାସ ତଳେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନି ହଜାର ଟଙ୍କା ଖର୍ଚ୍ଚ କରି ହାର୍ନିଆ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ପୁଣି ସମସ୍ୟା ଦେଖା ଦେବାରୁ ସେ ଡାକ୍ତର ଗୋପାଳଙ୍କଠୁ ପରାମର୍ଶ ନେଇଥିଲେ। ଆଉ ଥରେ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ନିରଞ୍ଜନଙ୍କୁ କୁହାଯାଇଥିଲା। ଏଥିପାଇଁ ଡାକ୍ତର ଗୋପାଳ ତାଙ୍କୁ ୧୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ନିରଞ୍ଜନ ବ୍ରହ୍ମପୁର ଭିଜିଲାନ୍‌ସ ଡିଭିଜନ୍‌ରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର