ବୁଗୁଡ଼ା: ଅଘଟଣର ଦିନ:ବାଇକ ଦୁର୍ଘଟଣାରେ ୫, ବିଦ୍ୟୁତ୍ ଆଘାତରେ ଜଣେ ଆହତ

ବୁଗୁଡ଼ା: ବୁଗୁଡ଼ା ଥାନା ଇଲାକାରେ ସଂଘଟିତ ବିଭିନ୍ନ ଅଘଟଣରେ ମୋଟ ୮ଜଣ ଆହତ ହୋଇଛନ୍ତି। ବାଇକ୍ ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ୨ଟାରେ ବୁଗୁଡ଼ା କଲେଜ ରାସ୍ତା ଏନଏସି ସ୍ବାଗତ ଫାଟକ ନିକଟରେ ବାଇକରୁ ଭାରସାମ୍ୟ ହରାଇ ଖସି ପଡ଼ି ଶେରଗଡ଼ ଥାନା କେଳାଗୋବିନ୍ଦପୁର ଗ୍ରାମର ବିକ୍ରମ ନାଟୁଆ ଓ ପିଣ୍ଟୁ ନାଟୁଆ ଆହତ ହୋଇଛନ୍ତି। ବିକ୍ରମ ତାଙ୍କ ସହଯୋଗୀ ପିଣ୍ଟୁଙ୍କ ସହ କୁରାଳ ଗ୍ରାମ ଶ୍ବଶୁର ଘରକୁ ଯାଉଥିବା ବେଳେ ଜଣେ ମହିଳା ସ୍କୁଟି ଚାଳକ ହଠାତ୍ ସାମ୍ନାକୁ ଆସିଯିବାରୁ ସେ ବ୍ରେକ କଷି ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ବିକ୍ରମଙ୍କ ଡାହାଣ ହାତ ଭାଙ୍ଗିବା ସହ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଥିଲା। ପିଣ୍ଟୁଙ୍କ ହାତ ପାପୁଲି‌ରେ ଆଘାତ ଲାଗିଥିଲା। ଉଭୟଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ବିକ୍ରମଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
‌ସେହିପରି ଆଉ ଏକ ଘଟଣା କ୍ରମେ ଆଜି ଅପରାହ୍ନ ୨ଟା ୪୫ ମିନିଟରେ ବୁଗୁଡ଼ା-ବାଲିପଦର ରାସ୍ତା ଖୋଳଖାଳି ଛକ ବୁଲାଣିରେ ସାଇକେଲକୁ ପଛପଟୁ ଧକ୍କା ଦେଇ ବାଇକ୍ ଆରୋହୀ ଧରାକୋଟ ନିକଟ ହିରାଖଣ୍ଡି ଗ୍ରାମର ଭିକାରୀ ନାୟକ ଓ ଆକୁଳ ଦାଶ ଆହତ ହୋଇଛନ୍ତି। ଏହା ସହ ସାଇକେଲ ଚାଳକ ବୁଗୁଡ଼ା ରଘୁନାଥ ସାହିର ସୀମା ଘଡ଼େଇ ବି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭିକାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ବୁଗୁଡ଼ା ଥାଇ ‌ଗୌତିଆବରୋଦା ଗ୍ରାମରେ ବିଦ୍ୟୁତ୍ ଆଘାତ ଯୋଗୁଁ ମାମି ସେଠୀ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଘରେ ଥିବା ପ୍ଲଗ୍ ପଏଣ୍ଟରେ ତାଙ୍କର ଅଙ୍ଗୁଳି ପଶିଯିବାରୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ।

ସମ୍ବନ୍ଧିତ ଖବର