ଗ˚ଜାମରେ ଆଉ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ : ଗୁଳି ପରେ ପଥର ଛେଚି ହତ୍ୟା

କୋଦଳା : ଗ˚ଜାମ ଜିଲ୍ଲାରେ ଆଉ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ଏତେ ବୀଭତ୍ସ ଯେ ନଦେଖିଲେ ବିଶ୍ବାସ କରିହେବନାହିଁ। ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କୁ ପ୍ରଥମେ ଗୁଳି କରିଥିଲେ। ପରେ, ପଥରରେ ଛେଚି ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିବାବେଳେ ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଗତ ୮ ଦିନ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଘଟଣା।

ମୃତ ଯୁବ ବ୍ୟବସାୟୀ ହେଲେ, ଜଟି ପରିଡ଼ା (୩୦) ଓରଫ୍‌ ରାଜେନ୍ଦ୍ର। ଜେ.ଛଛିନା ଗ୍ରାମର ମୂଳବାସିନ୍ଦା ଜଟି ଦୁଇ ମାସ ତଳେ ସୁରତରୁ ଫେରି ମଠସରସିଙ୍ଗିରେ ଏକ ସିମେଣ୍ଟ ଦୋକାନ କରିଥିଲେ। ସେ ହେଉଛନ୍ତି ବେଗୁନିଆପଡ଼ା ବ୍ଲକ୍‌ ଦିଗାପଡ଼ା ସରପଞ୍ଚଙ୍କ ଦିଅର। ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘରୁ ନିଜ ବୁଲେଟ୍‌ ଯୋଗେ ମଠସରସିଙ୍ଗି ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଅଟକାଇବା ସହ ମାଉଜର‌୍‌ ଦେଖାଇଥିଲେ। ପ୍ରାଣ ବିକଳରେ ଜଟି ତାଙ୍କ ଦୋକାନ ଆଡ଼କୁ ଅଗ୍ରସର ହୋଇ ସଟର‌୍‌ ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ପ୍ରତିରୋଧ କରି ଦୋକାନ ପିଣ୍ତାରେ ହିଁ ପ୍ରାୟ ୫ରୁ ୭ ରାଉଣ୍ତ ଗୁଳି କରିଥିଲେ। ଆଉ ସେଠାରେ ହିଁ ଏକ ପଥର ଆଣି ତାଙ୍କ ମୁହଁକୁ ଛେଚି ପକାଇଥିଲେ। ଜଟିଙ୍କ ପେଟ ଓ ଦେହର ବିଭିନ୍ନ ଜାଗାରେ ଗୁଳି ବାଜିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଳା। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଆଖି ପିଛୁଳାକେ ଚମ୍ପଟ୍‌ ମାରିଥିଲେ।

ସମ୍ବନ୍ଧିତ ଖବର