ବ୍ରହ୍ମପୁରରେ ବିଜେଡିର ମିଶ୍ରଣ ପର୍ବ

ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଚନ୍ଦ୍ରଶେଖର, ବିକ୍ରମ ଓ ଭଗବାନ

ବ୍ରହ୍ମପୁର : କଂଗ୍ରେସ ସହ ୪୦ ବର୍ଷର ସଂପର୍କ ତୁଟାଇ ଦକ୍ଷିଣ ଓଡ଼ିଶାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ହେଭିେଓ୍ଵଟ୍‌ ଯୁବନେତା ବିକ୍ରମ ପଣ୍ଡା, ଜିଲ୍ଲା କଂଗ୍ରେସ ସଭାପତି ପଦ ଛାଡ଼ିଥିବା ଭଗବାନ ଗନ୍ତାୟତ ଓ ସେମାନଙ୍କ ହଜାର ହଜାର ସମର୍ଥକ ମଧ୍ୟ ବିଜେଡିରେ ସାମିଲ୍‌ ହୋଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ସେମାନେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡ଼ିଆଠାରେ ଏହି ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପହଞ୍ଚିବାର ଠିକ୍‌ ୧୫ ମିନିଟ୍‌ ପୂର୍ବରୁ ଚନ୍ଦ୍ରଶେଖର, ବିକ୍ରମ, ଭଗବାନ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ। ଏଥିପାଇଁ ଗଠିତ ହୋଇଥିବା ସ୍ୱାଗତ କମିଟିର ସଦସ୍ୟମାନେ ସେମାନଙ୍କୁ ସଭାମଞ୍ଚକୁ ପାଛୋଟି ଆଣିଥିଲେ। ପ୍ରଥମେ ଭାଷଣ ଦେଇ ଭଗବାନ କହିଥିଲେ ଯେ, ନବୀନଙ୍କ ବିକାଶ ଚିନ୍ତାଧାରାରେ ପ୍ରଭାବିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏହାପରେ ବିକ୍ରମ ଭାଷଣ ଦେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ।

ଚନ୍ଦ୍ରଶେଖର ନିଜ ଭାଷଣରେ ନବୀନଙ୍କୁ ଭାରତର ନମ୍ବର ଓ୍ଵାନ୍‌ ମୁଖ୍ୟମନ୍ତ୍ରୀ ଓ ବିକାଶ ପୁରୁଷ ବୋଲି ସମ୍ବୋଧିତ କରିଥିଲେ। ଏଥିସହିତ ସେ କହିଥିଲେ ଯେ, ୧୯୮୦ରୁ ଦୀର୍ଘ ୪୦ ବର୍ଷ ଧରି କଂଗ୍ରେସରେ ସେ କାମ କରିଛନ୍ତି। ଆଜି ନବୀନ ବାବୁଙ୍କ ସ୍ନେହ-ଶ୍ରଦ୍ଧା ଓ ଆଶୀର୍ବାଦ ପାଇଥିବାରୁ ସେ କୃତଜ୍ଞ। ନିଜର ପରବର୍ତ୍ତୀ ରାଜନୈତିକ ଇଚ୍ଛାକୁ ପରୋକ୍ଷରେ ଉପସ୍ଥାପନ କରି କହିଲେ, ତାଙ୍କ ପାଇଁ ପ୍ରଥମେ ମାଟି ଓ ପରେ ପାର୍ଟି। ତାଙ୍କ ଅଞ୍ଚଳ, ବ୍ରହ୍ମପୁର, ଗଞ୍ଜାମ ଏବଂ ଓଡ଼ିଶାର ବିକାଶ ପାଇଁ ସେ କାମ କରିବେ। ନିଜର ରାଜନୈତିକ ଜୀବନର ସମ୍ୟକ ସ୍ମୃତିଚାରଣ କରି ସେ କହିଲେ, ବ୍ରହ୍ମପୁର ପୌର ଅଧ୍ୟକ୍ଷ ଥିବା ବେଳେ ବିଜୁ ପଟ୍ଟନାୟକ ତାଙ୍କ କାମକୁ ପ୍ରଶଂସା କରିଥିଲେ। ଆଜି ତାଙ୍କ ସୁପୁତ୍ର ନବୀନ ବାବୁଙ୍କ ନେତୃତ୍ୱରେ ବିକାଶ ଧାରାରେ ସାମିଲ ହୋଇ ଗୁଣ୍ଡୁଚି ମୂଷା ଭଳି କାମ କରିବେ ବୋଲି କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ‘ପରମ୍ବୋକ ଓ ଗ୍ରାମକଣ୍ଠ ଜମି ଆଇନ ସଂଶୋଧନ ପରେ ମୁଁ ଗଞ୍ଜାମ ଜିଲ୍ଲା ଆସିଥିଲି। ଏହାଦ୍ୱାରା ଜିଲ୍ଲାର ୨ଲକ୍ଷ ଲୋକ ଉପକାର ପାଇଥିଲେ ଓ ସେମାନଙ୍କ ଜମି ସମସ୍ୟା ଦୂର ହୋଇଥିଲା। ଏହା ଦେଖି ମୋତେ ବହୁତ ଖୁସି ଲାଗିଥିଲା। ବସ୍ତି ବାସିନ୍ଦାଙ୍କୁ ସମ୍ପତ୍ତି ଓ ଜମିର ଅଧିକାର ଦେବା ପାଇଁ ଆମେ କାମ କରୁଛୁ। ଚାଲିଥିବା ଏହି ବିକାଶ ଧାରାରେ ସାମିଲ ହେବା ପାଇଁ ଓଡ଼ିଶାର ସମ୍ମାନସ୍ପଦ ନେତା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ଓ ତାଙ୍କର ହଜାର ହଜାର ସମର୍ଥକ ସହଯୋଗ ଦେଇଛନ୍ତି। ଏଥିପାଇଁ ମୁଁ ଆଜି ଖୁସି। ଓଡ଼ିଶାର ବିକାଶ ଧାରାରେ ସାମିଲ ହେବା ପାଇଁ ଯେଉଁ ବନ୍ଧୁମାନେ ବିଜେଡିରେ ଯୋଗ ଦେଇଛନ୍ତି ତାଙ୍କୁ ସ୍ୱାଗତ କରିଛୁ। ଆଗାମୀ ଦିନରେ ଏହା ଜାରି ରହିବ ଓ ଯେଉଁମାନେ ଏହି ଧାରାରେ ସାମିଲ ହେବାକୁ ଚାହିଁବେ ସେମାନଙ୍କୁ ସ୍ୱାଗତ କରାଯିବ…।’

ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କଂଗ୍ରେସ ଛାଡ଼ି ହେଭିେଓ୍ଵଟ୍‌ ନେତାଙ୍କ ବିଜେଡିରେ ଯୋଗଦାନକୁ ତୁଳନା କରି କହିଥିଲେ ଯେ, ସବୁ ତରକାରୀ ଠାରୁ ଘାଣ୍ଟ ତରକାରୀ ସୁଆଦ। ଏହା ଆହୁରି ସୁଆଦିଆ ହୋଇଯାଏ ଯେତେବେଳେ ଏଥିରେ ଚିଙ୍ଗୁଡ଼ି ମିଶିଯାଏ। ପରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଲେ ସେମାନେ ତାଙ୍କ ସହିତ ଥିବାରୁ ସେ ଖୁସି, କାରଣ ସେମାନେ ତାଙ୍କୁ ଦଳରେ ରହି ମାର୍ଗଦର୍ଶନ କରିବାରେ ସହାୟତା କରିବେ।

ସଭାରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ, ଛତ୍ରପୁର ବିଧାୟକ ଡା.ପ୍ରିୟାଂଶୁ ପ୍ରଧାନ, ପୋଲସାରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସାନଖେମୁଣ୍ଡି ବିଧାୟିକା ନଳିନୀ ଦେବୀ, ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର