ଡେରାଡୁନ୍‌ରୁ କୃଷ୍ଣ, ଦୁର୍ଯ୍ୟୋଧନ ଗିରଫ

ଛତ୍ରପୁର ବିଜେଡି କାଉନସିଲର ହତ୍ୟା ଘଟଣା

ବ୍ରହ୍ମପୁର/ଛତ୍ରପୁର/ଭୁବନେଶ୍ୱର : ବିଜେଡି ଯୁବନେତା ତଥା ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍‌ଏସି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ଘଟଣାର ୪୨ ଦିନ ପରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଅଭିଯୁକ୍ତ ତାଲିକାରେ ଥିବା ବିଜେପି ଗଞ୍ଜାମ ଜିଲ୍ଲା ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ସଭ୍ୟ ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡି ଓରଫ ପିତୁଙ୍କୁ ଡେରାଡୁନରୁ ଗିରଫ କରିଛି ପୁଲିସ। ସେଠାରେ ଏକ ଗେଷ୍ଟ୍‍ ହାଉସ୍‌ରେ ଗତକାଲି ସ୍ୱତନ୍ତ୍ର ପୁଲିସ ଟିମ୍‌ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିବା ଗଞ୍ଜାମ ଏସ୍‌ପି ଆଶିଷ ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହିତ ଏହି ଘଟଣାଟି ଆଜି ନାଟକୀୟ ମୋଡ଼ ନେଇଛି।

ପୁଲିସ ଏହି ଘଟଣାରେ ବିଜେପି ଲିଙ୍କ୍‌ର ପ୍ରମାଣ ଦେଇଛି। ୪୨ ଦିନ ଧରି ଫେରାର ଥିବା କୃଷ୍ଣ ଓ ଦୁର୍ଯ୍ୟୋଧନ ସହ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସଂପର୍କ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୁଲିସ। କେବଳ ସେତିକି ନୁହେଁ, ଏ ସଂକ୍ରାନ୍ତ ଏକ ଭିଡିଓ ବି ଜାରି କରିଛି ପୁଲିସ। ଗଣମାଧ୍ୟମକୁ ପେନ୍‌ ଡ୍ରାଇଭ୍‌ରେ ଏହି ଭିଡିଓ ଦିଆଯାଇଥିଲା। କିନ୍ତୁ ଏହି ଭିଡିଓ କେଉଁଠି ଓ କେବେ ରେକର୍ଡିଂ ହୋଇଛି ତାହା ପୁଲିସ କହିନାହିଁ।

ଦୁଇ ଅଭିଯୁକ୍ତଙ୍କ ଭିଡିଓ ବୟାନରେ ଅଭିଯୁକ୍ତ କୃଷ୍ଣ ସିଧାସଳଖ ଗୋଲକ ମହାପାତ୍ର(ଗୋଲକ ଭାଇନା) ତାଙ୍କୁ ଡେରାଡୁନ୍‌ରେ ରହିବାରେ ସହଯୋଗ କରିଥିବା ଏବଂ ସେମାନେ କେସ୍‌ ବାବଦରେ ଫୋନ୍‌ରେ ଗୋଲକ ଭାଇନାଙ୍କ ଠାରୁ ଆଇନଗତ ପରାମର୍ଶ ନେଇଥିବା ସ୍ୱୀକାର କରିଛନ୍ତି। ବିଜେଡି କାଉନ୍‌ସିଲର୍‌ଙ୍କୁ ହତ୍ୟା ଭଳି ସ୍ପର୍ଶକାତର ଘଟଣାରେ ବିଜେପି ଲିଙ୍କ୍‌କୁ ନେଇ ଏବେ ଜିଲ୍ଲା ଓ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଘଟଣାକୁ ବିଜେପି ଆଜି ପ୍ରାୟୋଜିତ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରିଛି। ଅନ୍ୟପକ୍ଷରେ ବିଜେଡି ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଏହା ସତ ହୋଇଥିଲେ ଅତି ସାଂଘାତିକ। ହତ୍ୟା ଅଭିଯୁକ୍ତଙ୍କୁ ସହଯୋଗ କରିବା ବଡ଼ ଅପରାଧ।

ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଗଞ୍ଜାମ ଏସ୍‌ପିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିଜେଡି ଇସାରାରେ ବିଜେପିିକୁ କେବଳ ଟାର୍ଗେଟ କରାଯାଉଛି, ସେନେଇ ସାଂଘାତିକ ଅଭିଯୋଗ ଆଣିଥିଲେ। କେବଳ ସେତିକି ନୁହେଁ, ଗୋଲକ ମହାପାତ୍ର ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତାଙ୍କ ଅପରାଧ ଲିଙ୍କ ସଂପର୍କରେ ଗଣମାଧ୍ୟମରେ ତଥ୍ୟ ରଖିଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିନି, ଠିକ୍‌ ଏମିତି ଏକ ସମୟରେ ଏହି ଭିଡିଓ ଜାରି ହେବା ଘଟଣା ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଦ୍ୱନ୍ଦ୍ୱରେ ପକାଇଛି। କେବଳ ସେତିକି ନୁହେଁ, ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିପାରେ ବୋଲି ମଧ୍ୟ ଏହି ମହଲ ଆଶଙ୍କା କରୁଛନ୍ତି।

ସେପଟେ ଗିରଫ ଦୁଇ ଅଭିଯୁକ୍ତ କୃଷ୍ଣ ଓ ପିତୁଙ୍କୁ ଆଜି ସନ୍ଧ୍ୟାରେ ଛତ୍ରପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦେଶରେ ସେମାନଙ୍କୁ ଛତ୍ରପୁର ଜେଲ୍‌ ପଠାଇ ଦିଆଯାଇଛି। ଉଭୟଙ୍କୁ ଅଧିକ ଜେରା ଲାଗି ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଗଂଜାମ ଏସ୍‌ପି ଆଶିଷ ସିଂହ ସୂଚନା ଦେଇଛନ୍ତି।

ଗତ ସେପ୍ଟେମ୍ବର ୧୬ ତାରିଖରେ ଯୁବ ବିଜେଡି ନେତା ତଥା କାଉନ୍‌ସିଲର ଲକ୍ଷ୍ମୀଦତ୍ତଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍‌ ଭାଇରାଲ ହେବା ପରେ ପୁଲିସ ସେହି ଆଧାରରେ ବିଭିନ୍ନ ପର୍ଯ୍ୟାୟରେ ୧୫ ଜଣଙ୍କୁ ଗିରଫ କରିଥିଲା। କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ପୁଲିସ ଘଟଣାର ଦୁଇ ଷଡ଼ଯନ୍ତ୍ରକାରୀ କୃଷ୍ଣ ଓ ପିତୁଙ୍କୁ ଗିରଫ କରିବାକୁ ତିନିଟି ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରିଥିଲା। ଉଭୟଙ୍କ ମୋବାଇଲ୍‌ ଟ୍ରାକିଂ ଓ ଅନ୍ୟ ମାଧ୍ୟମ ଜରିଆରେ ସେମାନେ ଡେରାଡୁନ୍‌ରେ ଥିବା ଜାଣି ପାରିଥିଲା। ପୁଲିସର ଏକ ସ୍ୱତନ୍ତ୍ର ଦଳ ଉଭୟଙ୍କୁ ଗତକାଲି ଡେରାଡୁନ୍‌ର ଏକ ଗେଷ୍ଟ୍‍ ହାଉସ୍‌ରୁ ଗିରଫ କରିଥିଲା। ଏହି ମାମଲାରେ ଗଂଜାମ ଏସ୍‌ପି ଉଭୟଙ୍କୁ ଗିରଫ ପାଇଁ ହୋଇଥିବା ଅପରେସନ୍‌ ଓ ବିଜେପି ଲିଙ୍କ୍‌ ସଂପର୍କରେ ବିସ୍ତତ ଭାବେ କିଛି କହି ନଥିବା ବେଳେ ଦୁଇ ଅଭିଯୁକ୍ତଙ୍କ ବୟାନ ରେକର୍ଡ ଥିବା ଭିଡିଓ କ୍ଲିପ୍‌ ଗଣମାଧ୍ୟମକୁ ହସ୍ତାନ୍ତର କରିଥିଲେ।
କ’ଣ ଅଛି ଭିଡିଓରେ?

ଭିଡିଓରେ ଦୁଇ ଅଭିଯୁକ୍ତଙ୍କ ବୟାନ ମୁତାବକ, ହତ୍ୟାକାଣ୍ଡ ଦିନ କଲେଜ ଛକ ନିକଟରେ ବିଭୂତି ସ୍ୱାଇଁ ଓ ସନ୍ତୋଷ ସେଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଦୁଇଜଣ (କୃଷ୍ଣ ଓ ପିତୁ) ଘରକୁ ଚାଲି ଆସିଥିଲେ। ଘଣ୍ଟାକ ପରେ କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରା ଯାଇଥିବା ସୂଚନା ପାଇବା ପରେ ଉଭୟ ଟ୍ୟାକ୍ସିରେ କଟକ ପଳାଇ ଯାଇଥିଲେ। ସେଠାରେ ଦୁଇ ଦିନ ରହିବା ପରେ କୋଲକାତା ପଳାଇଥିଲେ। କୋଲକାତାରେ ୧୦ରୁ ୧୨ ଦିନ ରହିଲା ପରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର(ଗୋଲକ ଭାଇନା)ଙ୍କୁ ଫୋନ୍‌ କରି ସହଯୋଗ ମାଗିଥିଲେ। ତେବେ ସେ ଚନ୍ଦୁ ବୋଲି କାହାକୁ ଫୋନ୍‌ କରି ଆମକୁ ସହାୟତା କରିବାକୁ କହିଥିଲେ। ଚନ୍ଦୁ ଜରିଆରେ ଡେରାଡୁନ୍‌ ଗେଷ୍ଟ ହାଉସ୍‌ର ୨୦୪ ନମ୍ବର ରୁମ୍‌ରେ ରହିବା ପାଇଁ ବ୍ୟବସ୍ଥା କରାଇଥିଲେ । କୃଷ୍ଣ କଟକରେ ଦୁଇଟି ମୋବାଇଲ୍‌ ସିମ୍‌ ଓ କଲିକତାରେ ୪ଟି ସିମ୍‌ କିଣି ବ୍ୟବହାର କରିଥିଲେ। ହତ୍ୟା ଘଟଣାର ୫/୭ ଦିନ ପରେ ଗୋଲକ ଭାଇନାଙ୍କ ସହ ଅନ୍ୟ କୌଣସି ବିଷୟରେ ନୁହେଁ, କେସ୍‌ ବିଷୟରେ ଏକାଧିକ ଥର କଥା ହୋଇଥିବା କୃଷ୍ଣ ତାଙ୍କ ବୟାନରେ ସ୍ୱୀକାର କରିଛନ୍ତି।

ଦୁଇ ହତ୍ୟା ଅଭିଯୁକ୍ତ ଗୋଲକ ମହାପାତ୍ରଙ୍କ ନାମ ସିଧାସଳଖ ନେଉଥିବାରୁ ଶ୍ରୀ ମହାପାତ୍ରଙ୍କୁ ପୁଲିସ ଜେରା ପାଇଁ ଡାକିବ କି? ବୋଲି ପଚାରିବାରେ ଏସ୍‌ପି ଏହି ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ତେବେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପରେ ସେମାନଙ୍କୁ ଫେରାର ରହିଥିବା ସମୟରେ କିଏ କିଏ ସହଯୋଗ କରିଥିଲେ, ତାହା ଜଣାପଡ଼ିବ ବୋଲି ଏସ୍‌ପି କହିଥିଲେ। ଛତ୍ରପୁର ଥାନା ଅଧିକାରୀ ବିଷ୍ଣୁ ପ୍ରସାଦ ପାତ୍ର, ଖଲ୍ଲିକୋଟ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ଉପସ୍ଥିତିରେ ଉଭୟଙ୍କ ଫଟୋ ଓ ବୟାନ ଭିଡିଓ ଗଣମାଧ୍ୟମକୁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର