ଚିଟ୍‌ଫଣ୍ଡ ଠକେଇ: ବନ୍ଧା ହେଲେ ‘ଦାତୁମ’ ପରିଚାଳନା ନିର୍ଦ୍ଦେଶକ

ବ୍ରହ୍ମପୁର : ଅଧିକ ସୁଧରେ ଲୋକଙ୍କୁ ଟଙ୍କା ଦେବା ପ୍ରତିଶ୍ରୁତି ଦେଇ ଠକେଇ ମାମଲାରେ ସଂପୃକ୍ତ ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା କନିଷିରେ ଥିବା ଅର୍ଥଲଗାଣକାରୀ ସ˚ସ୍ଥା ଦାତୁମର ପରିଚାଳନା ନିର୍ଦ୍ଦେଶକ (ଏମଡି) ବ୍ରଜମୋହନ ପଟ୍ଟନାୟକ ଶେଷରେ ଗିରଫ ହୋଇଛନ୍ତି। ବ୍ରହ୍ମପୁର ପୁଲିସର ଏକ ଟିମ୍ ତାଙ୍କୁ ଭୁବନେଶ୍ବରରୁ ଗିରଫ କରିଥିବା ଜଣାପଡ଼ିଛି। ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଏକ ଟିମ୍‌ ଭୁବନେଶ୍ବର ଯାଇ ବ୍ରଜମୋହନଙ୍କୁ କାବୁ କରି ନେଇ ଥିଲେ। ବ୍ରହ୍ମପୁର ଅଣାଯିବା ପରେ ବ୍ରଜମୋହନଙ୍କୁ ଗୋଳନ୍ଥରା ଥାନାରେ ଅଟକ ରଖି ଜେରା କରାଯାଉଛି।

ଦାତୁମ କମ୍ପାନି ଅଧିକ ସୁଧରେ ଲୋକଙ୍କୁ ଟଙ୍କା ଦେବା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ କିଛି ମାସ ତଳେ ଜମାକାରୀ ଟଙ୍କା ଫେରି ପାଇବା ଆଶାରେ କମ୍ପାନିର କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ନେଇ ପୁଲିସ ମାମଲା ରୁଜୁ କରି କମ୍ପାନିର କିଛି ଅଧିକାରୀଙ୍କୁ ପୂର୍ବରୁ ଗିରଫ କରିଥିଲା। ଏହି କମ୍ପାନି ପ୍ରାୟ ୫/୭କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି। କମ୍ପାନିର ଏମ୍‌ଡି ବ୍ରଜମୋହନ ଫେରାର‌୍‌ ରହିଥିବା ବେଳେ ଗୋଳନ୍ଥରା ପୁଲିସ ତାଙ୍କୁ ଖୋଜାଖୋଜି କରୁଥିଲା। ସେ ଭୁବନେଶ୍ବରରେ ଲୁଚିଥିବା ଖବର ପାଇ ସଦର ଏସ୍‌ଡିପିଓ ଅଶୋକ ମହାନ୍ତି ଓ ଗୋଳନ୍ଥରା ଥାନା ଅଧିକାରୀ ଆଲୋକଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ଭୁବନେଶ୍ବର ଅଭିମୁଖେ ଯାଇଥିଲେ। ବ୍ରଜମୋହନଙ୍କୁ ଭୁବନେଶ୍ବରରେ ଧରିବା ପରେ ଆଜି ତାଙ୍କୁ ବ୍ରହ୍ମପୁର ଅଣାଯାଇଛି। ପୁଲିସ ତାଙ୍କୁ ଅଧିକ ଜେରା କରିବା ସହିତ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର