ଛତ୍ରପୁର ବିଜେଡି କାଉନସିଲଙ୍କୁ ଆକ୍ରମଣ ଘଟଣା: ୮ ଗିରଫ, ବାଇକ-ମାରଣାସ୍ତ୍ର ଜବତ

ବ୍ରହ୍ମପୁର/ଛତ୍ରପୁର: ଗତ ସେପ୍ଟେମ୍ବର ୧୮ରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ନମ୍ବର ୬ର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଛତ୍ରପୁର ପୁଲିସ ଶୁକ୍ରବାର ୮ଜଣଙ୍କୁ ଗିରଫ କରିଛି। ପୁଲସି ଆକ୍ରମଣକାରୀମାନଙ୍କ ଠାରୁ ବାଇକ, ଖଣ୍ଡା, ହାର୍ଡଡିସ୍କ ଆଦି ଜିନିଷ ଜବତ କରିଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ଆଶିଷ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅତିରିକ୍ତ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ, ପ୍ରଦୀପ କୁମାର ମହାପାତ୍ର ଓ ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସିଂହ କହିଛନ୍ତି ୪ଜଣ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବା ପାଇଁ ପୁଲସି ଏସଡିଜେଏମ୍‌ କୋର୍ଟରେ ଆବେଦନ କରିଛନ୍ତି।

ପୁଲିସ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା କପିଳ ହରିଜନ ସାହିର ନରେନ୍ଦ୍ର ନାୟକଙ୍କ ପୁଅ ପ୍ରଭାତ କୁମାର ନାୟକ ଓରଫ ସୋନୁ(୨୪), ଡମ୍ବରୁ ନାୟକଙ୍କ ପୁଅ ସୂର୍ଯ୍ୟକୁମାର ନାୟକ(୩୦), ପ୍ରହଲ୍ଲାଦ ନାୟକଙ୍କ ପୁଅ ପ୍ରେମ କୁମାର ନାୟକ(୨୨), ଉମା ଚରଣ ନାୟକଙ୍କ ପୁଅ ଜିତେନ କୁମାର ନାୟକ(୨୦), କପିଳ ହରିଜନ ସାହିର ସୁଶିଳା ନାୟକ(୨୮), ମେଟା ସାହି ଶାନ୍ତି ନଗର ଗଣପତି ରେଡ୍ଡିଙ୍କ ପୁଅ ଏନ୍‌ ଈଶ୍ୱର ରେଡ୍ଡି(୧୯), ଶାନ୍ତି ନଗର ମୋହନ ନାୟକଙ୍କ ପୁଅ କୁନା ନାୟକ(୨୦) ଓ କୋଦଳା ଥାନା ଅନ୍ତର୍ଗତ ମାର୍ଡାକୋଟେର କବିରାଜ ସ୍ୱାଇଁଙ୍କ ପୁଅ ପ୍ରଶାନ୍ତ ସ୍ୱାଇଁଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରମଣର ସେହିଦିନ ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତଙ୍କ ସଙ୍ଘବଦ୍ଧ ଆକ୍ରମଣରେ ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲକ୍ଷ୍ମୀଦତ୍ତ ପ୍ରଧାନ ନିଜ ଘରେ ଥିବା ବେଳେ, ଅପରାହ୍ନ ଗୋଟିଏରେ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ପହଞ୍ଚିଥିଲେ। ଲକ୍ଷ୍ମୀଧର କିଛି କହିବା ପୂର୍ବରୁ ସେମାନେ ଯୋଜାନ ମୁତାବକ ଖଣ୍ଡାରେ ଆକ୍ରମଣ କରିଥିଲେ। ଘରଠାରୁ ଅଳ୍ପ ଦୂରରେ ବାଇକ ରଖି କାଉନସିଲରଙ୍କ ଘରକୁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର