ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ବର୍ତ୍ତିଲେ ୩ ଯୁବକ

ଭଞ୍ଜନଗର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଶୁକ୍ରବାର ରାତି ଗୁଳିକାଣ୍ଡ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭଞ୍ଜନଗର ମହାବୀର ଛକରେ ହୋଇଥିବା ଗୁଳିକାଣ୍ଡରେ ବାଇକରେ ଘରକୁ ଫେରୁଥିବା ୩ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚାକୁଣ୍ଡାପଲ୍ଲୀ ଗାଁର କୃଷ୍ଣ ଗୌଡ଼ ଓ ପୂର୍ଣ୍ଣ ଗୌଡ଼ ଭାଇ ଜଗନ୍ନାଥଙ୍କୁ ଆଣିବା ପାଇଁ ମହାବୀର ଛକକୁ ଆଜି ରାତି ୮ଟା ୩୦ରେ ଯାଇଥିଲେ। ସେମାନେ ଏକ ବାଇକରେ ଘରକୁ ଫେରୁଥିବା ବେଳେ କାଳିଆପଲ୍ଲୀ ଗାଁର ସୀମାନ ନାୟକ ଓ ରାହୁଲ ନାୟକ ଅନ୍ୟ ଏକ ବାଇକରେ ଘଟଣାସ୍ଥଳକୁ ପହଞ୍ଚି ୫ ରାଉଣ୍ଡ ଗୁଳି କରିଥିଲେ। ଏହା ଏକ ଫାଙ୍କା ଗୁଳି ଚାଳନା ଥିବାରୁ କାହାରି କିଛି ଅସୁବିଧା ହୋଇ ନଥିଲା। ସୂଚନା ପାଇ ଏସଡିପିଓ ଉତ୍କଳ କେଶରୀ ଦାସ ଓ ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଘଟଣାସ୍ଥଳକୁ ପହଞ୍ଚି ଗୋଟିଏ ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗିଳିକାଣ୍ଡ ଘଟିଛି। ଅଭିଯୁକ୍ତମାନେ ଫେରାର ଥିବା ବେଳେ ପୁଲିସ ଘଟଣାର ଛାନଭିନ୍‌ କରୁଛି।

ସମ୍ବନ୍ଧିତ ଖବର