ପାନ ଦୋକାନରେ ଥଣ୍ଡା ପିଉଥିବା ଯୁବକଙ୍କୁ ଗୁଳି ମାରିଲେ, ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହେଲେ

ଭଞ୍ଜନଗର: ପାନ ଦୋକାନ ନିକଟରେ ଗାଡ଼ି ରଖି ଥଣ୍ଡା ପାନୀୟ ପିଉଥିବା ଜଣେ ଯୁବକଙ୍କୁ ଶୁକ୍ରବାର ୪ ଜଣ ଦୁର୍ବୃତ୍ତ ଗୁଳି କରିଛନ୍ତି। ବୋମାମାଡ଼ କରିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଖୁବ ନିକଟତର ତଥା ଗାଙ୍ଗପୁର ଗାଁର ବିଜେଡି ନେତା ଓ ଠିକାଦାର ସନ୍ୟାସୀ ବିଷୋୟୀ ଥଣ୍ଡା ପିଉଥିବା ବେଳେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ପହଞ୍ଚି ଥିଲେ। ସନ୍ୟାସୀ କିଛି କହିବା ପୂର୍ବରୁ ୨ ରାଉଣ୍ଡ ଗୁଳିର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ବୋମାମାଡ଼ କରିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ପୁଲିସ କହିଛି, ସନ୍ୟାସୀ ବଡ଼ଭାଇର ଭୋଜୀ ପାଇଁ ଜିନିଷପତ୍ର ଭଡ଼ାରେ ଆଣିବାକୁ ବଡ଼ଗଡ଼ ଯାଇଥିଲେ। ଗୁରୁତର ଆହତ ହେବା ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗଞ୍ଜାମ ଏସ୍‌ପି ବ୍ରଜେଶ ରାୟ, ଆସିକା ଏସ୍‌ଡିପିଓ ସୁବାଷ ଚନ୍ଦ୍ର ପଣ୍ଡା, ଆସିକା, ବୁଗୁଡ଼ା, ପାଟପୁର ଓ ସେରଗଡ଼ ଥାନା ଅଧିକାରୀ ପହଞ୍ଚି ଥିଲେ। ଏସ୍‌ପି ରାୟ କହିଛନ୍ତି, ଅଭିଯୁକ୍ତମାନେ ତୁରନ୍ତ ଗିରଫ ହେବେ। ଏଥି ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ସେ କହିଛନ୍ତି, ୨/୪ ଦିନ ପରେ ସନ୍ୟାସୀର ବାହାଘର ହୋଇଥାନ୍ତା। ଅନ୍ୟପକ୍ଷରେ ବିଜେଡି ନେତାଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ସମର୍ଥକଙ୍କ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ଆନ୍ଦୋଳନ ହୋଇଛି।

ସମ୍ବନ୍ଧିତ ଖବର