ଗଂଜାମ: ଭଂଜନଗରରେ ସିରିଜ ବୋମାମାଡ଼, ୨ ଆହତ, ପେଟ୍ରୋଲିଂ ଜାରି

ଭଂଜନଗର: ଗଂଜାମ ଜିଲ୍ଲାର ଭଂଜନଗର ସହରରେ ଗୁରୁବାର ଦୁର୍ବୃତ୍ତମାନେ ଆତଙ୍କରାଜ ଦେଖାଇଛନ୍ତି। ଖୁବ୍‌ ଅଳ୍ପ ସମୟ ମଧ୍ୟରେ ସହରର ୫ଟି ସ୍ଥାନରେ ବୋମାମାଡ଼ କରି ଲୋକଙ୍କୁ ଭୟଭୀତ କରିଛନ୍ତି। ବୋମାମାଡ଼ରେ ୨ ଜଣ ଆହତ ହୋଇଥିବା ଖବର ମିଳିଛି।

ରିପୋର୍ଟ ଅନୁସାରେ ଭଂଜନଗରରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ପାଓ୍ଵାର କଟ୍‌ ହୋଇଥାଏ। ଏହି ପାଓ୍ଵାରକଟ୍‌ର ସୁଯୋଗ ନେଇ ସନ୍ଧ୍ୟା ୬ଟା ୩୦ରେ ଦୁର୍ବୃତ୍ତମାନେ ପ୍ରଥମେ ବୋମାମାଡ଼ କରିଥିଲେ। ଦୁର୍ବୃତ୍ତମାନେ ପ୍ରଥମ ବୋମାମାଡ଼ ଆକ୍ସିସ ବ୍ୟାଙ୍କ ସମ୍ମୁଖରେ କରିଥିଲେ। ଏହା ପରେ ଜଗନ୍ନାଥ ହୋଟେଲ, ସହରର ବ୍ରିଜ୍‌ ଉପରେ, ବାଉଁଶଲୁଣ୍ଡି ନିକଟ ମଦ ଦୋକାନ ନିକଟ ଓ ହିରୋ ସୋ’ରୁମ ‘ରେବତୀ ମୋଟର୍ସ’ ଉପରେ ବୋମାମାଡ଼ କରି ଫେରାର ହୋଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଦ୍ରୁତଗତିରେ ଯାଇ ବୋମାମାଡ଼ କରୁଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଭଂଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁର ସରୋଜ କୁମାର ତ୍ରିପାଠୀ ଏବଂ ରିଙ୍କୁ ସ୍ୱାଇଁ ଆହତ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଟିମ ଭଂଜନଗର ଓ ଏହାର ଆଖାପାଖ ଅଂଚଳରେ ପେଟ୍ରୋଲିଂ କରୁଛି। ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର