ବିଜେଡ଼ି କାଉନସିଲର ହତ୍ୟା ଘଟଣା: ଆଉ ୫ ଅପରାଧୀ ଗିରଫ

ମାଷ୍ଟର ମାଇଣ୍ଡ ବିଜେପି ଜିଲ୍ଲା ସଂପାଦକ ଓ ସମିତି ସଭ୍ୟ ଫେରାର

ଛତ୍ରପୁର: ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡ଼ି ଯୁବନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ)ଙ୍କ ଏକାଦଶାହ ଦିବସରେ ପୁଲିସ ଦ୍ୱିତୀୟ ପର୍ଯ୍ୟାୟରେ ଶୋକକୁଳ ପରିବାରଙ୍କୁ କିଛିଟା ସାନ୍ତ୍ୱନା ପ୍ରଦାନ କରିଛି । ଯୁବନେତାଙ୍କ ବାସଭବନ ଠାରେ ଆକ୍ରମଣକାରୀଙ୍କ ମଧ୍ୟରୁ ୫ ମୁଖ୍ୟ ଅପରାଧୀକୁ ଗିରଫ କରିଛି । ଯୁବନେତାଙ୍କ ସୁଧକ୍ରିୟା ପୂର୍ବରୁ ଗଞ୍ଜାମ ପୁଲିସ ଏହି ହତ୍ୟା ମାମଲାରେ ମୋଟାମୋଟି ଭାବେ ୧୩ ଅପରାଧୀଙ୍କୁ ଗିରଫ କରି କୋର୍ଟ ପଠାଇଛି ।

ଗତ ସେପ୍ଟେମ୍ବର ୧୬ରେ ଯୁବନେତାଙ୍କୁ ନିଜ ବାସଭବନ ଠାରେ ଯେଉଁ ନିର୍ମମ ଭାବେ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଉକ୍ତ ଆକ୍ରମଣର ମୁଖ୍ୟ ନେତୃତ୍ୱ ନେଇଥିବା ସନ୍ତୋଷ କୁମାର ସେଠୀ, ବନୋଜ ନାହକ, କାଳି ଓରଫ୍‌ ପ୍ରଶାନ୍ତ କୁମାର ବେହେରା, ଚିକୁ ଓରଫ୍‌ ଆୟୁଷ୍ମାନ ମହାପାତ୍ର ଏବଂ ସଞ୍ଜୟ କୁମାର ଗୌଡ଼କୁ ଆଜି ପୁଲିସ ଗରିଫ କରିଛି ।
ଏହି ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରରେ ବିଜେପି ଜିଲ୍ଲା ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍‌ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡିଙ୍କ ସଂପୃକ୍ତି ଥିବା ନେଇ ପୁଲିସ ନିକଟରେ ଯଥଷ୍ଟେ ପ୍ରମାଣ ରହିଛି । ଏହି ଦୁଇଜଣ ଷଡ଼ଯନ୍ତ୍ରକାରୀ, ସିସିଟିଭି ଫୁଟେଜ୍‌ର ଥିବା ଅନ୍ୟଜଣେ ଆକ୍ରମଣକାରୀ ଛୋଟୁ ସେଠୀ, ଘଟଣା ସ୍ଥଳ ନିକଟରେ ଥିବା କଣାପିଣ୍ଟୁ ଓରଫ୍‌ ପ୍ରମୋଦ ଓ ଭାସ୍କର ବେହେରା ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ସେମାନଙ୍କୁ ଧରାଯିବା ପରେ ଏହି ହତ୍ୟା ପଛର ସମସ୍ତ ରହସ୍ୟ ପଦାକୁ ଆସିବ । ଯୁବନେତାଙ୍କ ହତ୍ୟା ଘଟଣା ପଛରେ ପୂର୍ବ ଶତ୍ରୁତା, ରାଜନୈତିକ ଏବଂ ବିଭିନ୍ନ ଷଡ଼ଯନ୍ତ୍ର ରହିଥିବା ଜଣାପଡ଼ିଛି । ପୂର୍ବରୁ ୨/୩ ଥର ଯୁବନେତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି । କିନ୍ତୁ ସୁଯୋଗ ମିଳିନାହିଁ । ଗତ ୧୬ ତାରିଖରେ ଯେଉଁ ହତ୍ୟା କରାଯାଇଥିଲା । ଏଥିପାଇଁ ସମିତି ସଭ୍ୟ ପିତୁ ଓରଫ୍‌ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡିଙ୍କ ଘରେ ଆଲୋଚନା ହୋଇଛି । ହତ୍ୟା ପରେ ଅପରାଧୀଙ୍କ ପାଇଁ ଅର୍ଥ ଯୋଗାଡ଼, ବାହାରକୁ ପଠାଇବା ଏବଂ କେଉଁ ଅଞ୍ଚଳକୁ ଯିବା ସମସ୍ତ ବିଷୟ ଉପରେ ବିଜେପି ଜିଲ୍ଲା କୃଷ୍ଣଚନ୍ଦ୍ର ନାୟକ ଓ ସମିତି ସଭ୍ୟ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡିଙ୍କ ସଂପୃକ୍ତ ହାତ ରହିଥିବା ନେଇ ବେଶ୍‌ ପ୍ରମାଣ ପୁଲିସ ହାତରେ ରହିଛି ବୋଲି ଆଜି ଗଞ୍ଜାମ ଏସ୍‌ପି ଆଶିଷ କୁମାର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗଞ୍ଜାମ ପୁଲିସ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେଡ଼ି ଯୁବନେତା ତଥା କାଉନ୍‌ସିଲରଙ୍କ ହତ୍ୟା ମାମଲାର ଦ୍ୱିତୀୟ ପର୍ଯ୍ୟାୟ ସାମ୍ବାଦିକ ସମ୍ମିଳନୀରେ ଆକ୍ରମଣକାରୀଙ୍କ ମଧ୍ୟରୁ ମୁଖ୍ୟ ୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ଏହି ହତ୍ୟା ମାମଲାର ପୂର୍ବରୁ ଗତ ୨୨ ତାରିଖରେ ସିସିଟିଭି ଫୁଟେଜ୍‌ର ୩ ଜଣ ଅପରାଧୀ ଏବଂ ଅପରାଧୀଙ୍କୁ ସହଯୋଗ କରିଥିବା ୫ ଜଣ ମୋଟ ୮ ଜଣକୁ ଗିରଫ କରାଯାଇଥିଲା । ଏନେଇ ପରିବାର ପକ୍ଷରୁ ଛତ୍ରପୁର ଥାନାରେ କେସ୍‌ ନମ୍ବର ୧୩୧/୧୭ ନମ୍ବର, ଦଫା ୧୪୭/୧୪୮/୩୨୪/୩୨୬/୩୦୭/୩୦୨/୧୨୦-ବି/୧୪୯ ଆଇପିସି/୨୫ ସଶସ୍ତ୍ର ଆକ୍ଟ ଏକ ମାମଲା ରୁଜୁ କରି ପ୍ରଥମ ପର୍ଯ୍ୟାୟରେ ୮ ଅପରାଧୀ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫ ଅପରାଧୀ ମୋଟ ୧୩ ଜଣ ଅପରାଧୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଥିଲେ ।

ସମ୍ବନ୍ଧିତ ଖବର