‘ତିତ୍‌ଲି’ର ପ୍ରଭାବ: ଆସ୍କା-ବ୍ରହ୍ମପୁର ରାଜପଥ ଉପରେ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ, ଦାମୋଦରପଲ୍ଲୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଆସ୍କା: ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଋଷିକୁଲ୍ୟା ଓ ଉତ୍ତର ଓଡ଼ିଶାର ଜଳକା ନଦୀ ଫୁଲି ଉଠିଛି। ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି। ଋଷିକୁଲ୍ୟା ନଦୀରେ ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆସ୍କାଠାରେ ଋଷିକୁଲ୍ୟାରେ ୧୩ ଫୁଟ ପାଣି ପ୍ରବାହିତ ହେଉଛି। ଆସ୍କା-ବ୍ରହ୍ମପୁର ଜାତୀୟ ରାଜପଥ ୫୯ ନମ୍ବରରେ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। କାଳଷଣ୍ଢପୁର ନିକଟରେ ରାସ୍ତା ଉପରେ ପ୍ରବଳ ପାଣି ପ୍ରବାହିତ ହେବା ଫଳରେ ଯାତାୟତ ଏକ ପ୍ରକାରର ବାଧାପ୍ରାପ୍ତ ହୋଇଛି। ଧରାକୋଟ ବ୍ଲକର ରେଡି ଦାମୋଦରପଲ୍ଲୀ ଗାଁରେ ୫ ଫୁଟ ପାଣି ପଶିଛି। ଫଳରେ ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ଆସ୍କା ବ୍ଲକରେ ଆଜି ସକାଳ ଠାରୁ ପ୍ରବଳ ବର୍ଷା ହେଉଥିବାରୁ ଏଥିରେ ୨୭ ଟି ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି। ବାସହୀନ ୧୦୦୯ ଜଣ ଲୋକଙ୍କୁ ବିଭିନ୍ନ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟରେ ଆଶ୍ରୟ ଦିଆଯାଇ ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଖାଇବାକୁ ଦିଆଯାଉଛି।

ସମ୍ବନ୍ଧିତ ଖବର