ଯୁବତୀଙ୍କୁ ଘରୁ ଉଠାଇନେଇ ଗଣଦୁଷ୍କର୍ମ! : ପୀଡ଼ିତାଙ୍କ ୪ ସମ୍ପର୍କୀୟ ଗିରଫ

ପୋଲସରା/କଳମ୍ବ : ଗତ ୩୧ ତାରିଖ ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଘରେ ଶୋଇଥିବା ୮ ବର୍ଷର ଜଣେ ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅପରାଧୀଙ୍କ ଟେର‌୍‌ ପାଇବାରେ ପୁଲିସ ବିଫଳ ହୋଇଛି। ୧୫ ଦିନ ବ୍ୟବଧାନରେ ପୋଲସରା ଥାନା ଚିରିକିପଡ଼ା ଶାସନ ଅଞ୍ଚଳରେ ପୁଣି ଜଣେ ଯୁବତୀଙ୍କୁ ତାଙ୍କ ସଂପର୍କୀୟ ଓ ସହଯୋଗୀ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି।

ପୀଡ଼ିତାଙ୍କ ବୟାନରୁ ଜଣାପଡ଼ିଛି ଯେ, ଯୁବତୀ ଜଣଙ୍କର ବାପାମା’ ଭୁବନେଶ୍ବରରେ ଦିନ ମଜୁରିଆ ଭାବେ କାମ କରନ୍ତି। ଘରେ ଯୁବତୀ ଓ ତାଙ୍କ ଦୁଇ ଭଉଣୀ ଓ ଭାଇ ରହନ୍ତି। ଗତକାଲି ରାତିରେ ପୀଡ଼ିତାଙ୍କ ନିଜ ବଡ଼ବାପା (ପିତାଙ୍କ ବଡ଼ ଭାଇ)ଙ୍କ ଜ୍ବାଇଁ, ପୁଅ ଓ ଅନ୍ୟ ଦୁଇଜଣ ବାଡ଼ି ପଟେ ଥିବା ନଡ଼ିଆ ଗଛ ମୂଳେ ମଦ ପିଇଥିଲେ। ମାତାଲ ଅବସ୍ଥାରେ ଏକ କୋଦାଳରେ ପୀଡ଼ିତାଙ୍କ ଘର ବାଡ଼ିପଟ କବାଟ ଭାଙ୍ଗି ଯୁବତୀଙ୍କ ପାଟି ବନ୍ଦ କରି ଉଠାଇ ନେଇଥିଲେ। ତେବେ ନିଶାସକ୍ତ ଥିବାରୁ ପୀଡ଼ିତାଙ୍କ ସହ ଏକ ଖାଲ ମଧ୍ୟରେ ଲେଉଟି ପଡ଼ିଥିଲେ। ଯୁବତୀ ଜଣକ ତଳେ ପଡ଼ିଯାଇ ସହାୟତା ପାଇଁ ଚିତ୍କାର କରିଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଉଠିବା ଦେଖି ଦୁବୃର୍ତ୍ତମାନେ ପୀଡ଼ିତାଙ୍କୁ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ଛାଡ଼ି ପଳାଇଥିଲେ। କ୍ଷତାକ୍ତ ଅବସ୍ଥାରେ ଲୋକମାନେ ଯୁବତୀ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଓ ଥାନାକୁ ଫୋନ୍‌ କରିଥିଲେ। ଯୁବତୀଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା।

ଘଟଣାର ଖବର ପାଇ ଛତ୍ରପୁର ଡିଏସ୍‌ପି ଦିଲୀପ ଦାସ ପହଞ୍ଚିଥିଲେ। ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ଏସ୍‌ଏସ୍‌ଆଇ ମମତା ସାମନ୍ତରା, ଏଏସ୍‌ଆଇ ବାବୁଲା ରାଉଳ, ପୁରୁଷୋତ୍ତମ ମାଝି, ହାବିଲ୍‌ଦାର ପ୍ରମୋଦ ଗନ୍ତାୟତ ପ୍ରମୁଖ ନରସି˚ହପଲ୍ଲୀ, ନିମିନା, ମୁକ୍ତାମାଳା ଦେଇପୁର, ଖଇରଚଟା ଗ୍ରାମରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ କାବୁ କରିଛନ୍ତି। ଥାନା ଅଧିକାରୀଙ୍କ ସୂଚନାନୁସାରେ, ସେମାନଙ୍କ ବିରୋଧରେ ୪୫୭, ୩୭୬, ୫୧୧, ୩୫୪ଡି, ୫୦୬, ୩୨୩, ୩୪ ଆଇପିସି ଦଫାରେ କେସ୍ ନଂ-୨୨୦/୧୮ ରୁଜୁ ହୋଇଛି। ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କୁ ଡାକ୍ତରୀମାଇନା କରାଯାଇଛି। ଆସନ୍ତାକାଲି ବ୍ରହ୍ମପୁରରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବ। ଏହାପରେ ଦୁଷ୍କର୍ମ ଘଟଣା ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର