କାର୍‌ ଖୋଲିଦେଲା ରହସ୍ୟ

ଝାଡ଼ଖଣ୍ଡୀ ସୁପାରି କିଲର୍‌ ଏନ୍‌କାଉଣ୍ଟର ଘଟଣା

ସୁପାରି ଦେଇଥିଲେ ସୂର୍ଯ୍ୟ ପୋଲାଇ
୭.୫୦ ଲକ୍ଷର ଡିଲ୍‌, ୩ ଲକ୍ଷ ଆଡ୍‌ଭାନ୍‌ସ
ଟାର୍ଗେଟରେ ଥିଲା ରବି ନାହାକ

ଭଂଜନଗର : ଝାଡ଼ଖଣ୍ଡୀ ମୋଷ୍ଟ ଓ୍ଵାଣ୍ଟେଡ଼୍‍ ସୁପାରି କିଲର୍‌ ବବ୍‌ଲୁ ପାଶ୍ୱାନ୍‌ ଓ ତା’ର ସହଯୋଗୀ ଜିତେନ୍ଦ୍ର ନାୟକ ଗତକାଲି ଗଂଜାମ ପୁଲିସ ଏନ୍‌କାଉଣ୍ଟର୍‌ରେ ଧରାପଡ଼ିବା ପରେ ସେମାନଙ୍କ ମିସନ୍‌ ଗଂଜାମର ରହସ୍ୟ ଉପରୁ ପର୍ଦା ହଟିବାରେ ଲାଗିଛି। ସେମାନଙ୍କ ଦ୍ୱାରା ବ୍ୟବହୃତ ଆଇ-୨୦ କାର ଏହି ରହସ୍ୟ ଖୋଲିବାରେ ସହାୟକ ହୋଇଛି। ସମଗ୍ର ଘଟଣା ପଛରେ କାର ମାଲିକ ତଥା ଆସିକାର ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ସୂର୍ଯ୍ୟ ପୋଲାଇଙ୍କ ହାତ ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ବସ ମାଲିକ ପ୍ରତାପ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରବି ନାହାକକୁ ହତ୍ୟା କରିବା ଲାଗି ସୂର୍ଯ୍ୟ ଝାଡ଼ଖଣ୍ଡୀ ଅପରାଧୀଙ୍କୁ ସୁପାରି ଦେଇଥିବା କୁହାଯାଉଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳନ୍ତା ବସ୍‌ରେ ଗୁଳି ଓ ହତ୍ୟା ଶିକାର ହୋଇଥିବା ପ୍ରତାପ ସୂର୍ଯ୍ୟଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ବ୍ୟବସାୟଠୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଥିରେ ସୂର୍ଯ୍ୟଙ୍କ ପରାମର୍ଶ ନେଉଥିଲେ।

ପ୍ରତାପଙ୍କୁ ହତ୍ୟା କରାଯିବା ପରେ ସୂର୍ଯ୍ୟ ହିଁ ତାଙ୍କ ହତ୍ୟାକାରୀଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ ଝାଡ଼ଖଣ୍ଡ ସୁପାରି କିଲର୍‌ ବବଲୁର ସହଯୋଗ ନେଇଥିବା ପୁଲିସର ଅନୁମାନ ସ୍ପଷ୍ଟ ହେଉଛି। ଏଥିପାଇଁ ମୋଷ୍ଟଓ୍ଵାଣ୍ଟେଡ୍‌ ଅପରାଧୀ ବବ୍‌ଲୁ ସହ ସୂର୍ଯ୍ୟଙ୍କ ୭ଲକ୍ଷ ୫୦ ହଜାର ଟଙ୍କାର ଏକ ଡିଲ୍‌ ହୋଇଥିଲା। ୩ ଲକ୍ଷ ଆଡ୍‌ଭାନ୍‌ସ ଆକାରରେ ବବ୍‌ଲୁ ନେଇଥିବା ବେଳେ ସୁଟର ସହ ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ଆଉ ଜିତେନ୍ଦ୍ର ଏହି ଡିଲ୍‌ର ମଧସ୍ଥି ଥିଲା। ଏଥିରେ ଗଂଜାମ ଜିଲ୍ଲାର ବି ଜଣେ ବ୍ୟକ୍ତି ମଧ୍ୟସ୍ଥି ଥିବା କୁହାଯାଉଛି। ସୂର୍ଯଙ୍କ ସଂପୃକ୍ତିକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ଅଧିକ ତଦନ୍ତ ପାଇଁ ଭଂଜନଗର ପୁଲିସର ଏକ ଟିମ୍‌ ବର୍ତମାନ ରାଉରକେଲା ମଧ୍ୟ ଯାଇଛନ୍ତି। ଖାଲି ଏତିକି ନୁହେଁ, ସୂର୍ଯ୍ୟ ମଧ୍ୟସ୍ଥି ଜିତେନ୍ଦ୍ର ସହ ରୀତିମତ ଯୋଗାଯୋଗରେ ରହିଥିଲେ।

ହତ୍ୟା ଯୋଜନାର ଚେର ଆସିକାରୁ ଭାୟା ରାଉରକେଲା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଯାଇଛି। ଯୋଜନା ଅନୁସାରେ ଅଭିଯୁକ୍ତ ମାନେ ଭଂଜନଗରର ୨ଟି ଲଜରେ ରୁମ ଭଡ଼ା ଆକାରରେ ନେଇ ଥିଲେ। ତେବେ ଗୋଟିଏ ଲଜରେ ସେମାନଙ୍କ ନାଁରେ ରୁମ୍‌ ବୁକ ହୋଇଥିବା ବେଳେ ସେମାନେ ଆଉ ଗୋଟିଏ ଲଜ୍‌ରେ ରାତ୍ରି ଯାପନ କରିଥିଲେ। ସକାଳୁ ନିଜ ଯୋଜନାକୁ ରୂପ ଦେବାକୁ ବବ୍‌ଲୁ, ଜିତେନ୍ଦ୍ର ଓ ଆଉ ଜଣେ ସହଯୋଗୀ ଆସିକା ଅଭିମୁଖେ ଯାଇଥିଲେ। ଆସିକାରେ ଜଳଖିଆ ଖାଇ ଯୋଜନାକୁ ରୂପ ଦେବାକୁ ପ୍ରସ୍ତୁତ ହେଉଥିଲେ। କୋର୍ଟକୁ ଅଣାଯାଉଥିବା ଜଣେ ଅପରାଧୀଙ୍କୁ ଏମାନେ ହତ୍ୟା କରିଥାନ୍ତେ। ତେବେ ଝାଡଖଣ୍ଡ ପୁଲିସର ଗୁଇନ୍ଦା ସୂତ୍ରକୁ ଆଧାର କରି ଗଂଜାମ ଏସ୍‌ପି ଆଶିଷ କୁମାର ସିଂ ଆସିକା ଓ ଭଂଜନଗର ଥାନା ଇଲାକାରେ ହାଇଆଲର୍ଟ ଜାରି କରିଥିଲେ। ଜଳଖିଆ ଖାଉଥିବା ବେଳେ ପୁଲିସର ନାକାବନ୍ଦୀ ଓ ଯାଞ୍ଚକୁ ଦେଖି ତିନି ଅଭିଯୁକ୍ତ ଚାଲାକ୍‌ରେ ସେଠାରୁ ଖସି ପଳାଇଥିଲେ। ତେବେ ଗାଲେରୀ ନିକଟସ୍ଥ ବ୍ରାହ୍ମଣପଦର ଜଙ୍ଗଲରେ ଏନକାଉଣ୍ଟରରେ ଗତକାଲି ଏମାନେ ଧରାପଡ଼ିଥିଲେ।

ରବି ନାହାକ ହେଉଛି ଗଲା କିଛି ଦିନ ତଳେ ଚଳନ୍ତା ବସ୍‌ ଭିତରେ ବିଜେଡି ନେତା ତଥା ବସ୍‌ ମାଲିକ ପ୍ରତାପ ପୋଲାଇଙ୍କ ଗୁଳି କରି ହତ୍ୟା କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ଏବେ ଗିରଫ ହୋଇ ଜେଲ୍‌ରେ। ଗତକାଲି ରବିକୁ ଆସିକା କୋର୍ଟରେ ହାଜର କରାଯିବାର ଥିଲା। କୋର୍ଟ ବାହାରେ ବବ୍‌ଲୁ ଓ ତା’ ସହଯୋଗୀ ରବିଙ୍କୁ ଉଡ଼ାଇବା ସବୁ ଯୋଜନା ସରିଥିଲା। ହେଲେ ଏହା ପୂର୍ବରୁ ଝାଡ଼ଖଣ୍ଡ ପୁଲିସ ସୂଚନା ଆଧାରରେ ଅପରେସନ୍‌ ଚଳାଇ ଗଞ୍ଜାମ ପୁଲିସ ବବ୍‌ଲୁ ଓ ଜିତେନ୍ଦ୍ରଙ୍କୁ ଏନ୍‌କାଉଣ୍ଟର୍‌ କରି ଦେଇଥିଲା। ସେମାନଙ୍କୁ ନିଜ କାର୍‌ ମଧ୍ୟ ସୂର୍ଯ୍ୟ ଯୋଗାଇ ଦେଇଥିଲେ ବୋଲି ପୁଲିସ ଆଜି ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ସୂର୍ଯ୍ୟ ମୂଳରୁ କଂଗ୍ରେସ ସହ ଥିଲେ। ଏହା ପରେ ସ୍ୱାଧୀନ ଭାବେ କେତେବେଳେ କେଉଁ ଦଳକୁ ସମର୍ଥନ କରୁଥିଲେ। ବର୍ତମାନ ସେ ରାଜନୀତି ସହ ସକ୍ରିୟ ଭାବେ ଜଡ଼ିତ ନାହାନ୍ତି। ଆସିକା ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷ ସାହେବ ପରିଡ଼ାଙ୍କୁ ହତ୍ୟା ପରେ ଉପନିର୍ବାଚନରେ ଜିଣି ସୂର୍ଯ୍ୟ ଗତ ୨୦୦୧ ଅଗଷ୍ଟ ୨୦ରୁ ୨୦୦୨ ଜୁଲାଇ ୧୭ ପର୍ଯ୍ୟନ୍ତ ୧୧ ମାସ ଏନ୍‌ଏସି ଅଧ୍ୟକ୍ଷ ରହିଥିଲେ। ୨୦୦୩ ନିର୍ବାଚନରେ ଜିଣି ତାଙ୍କ ମାଆ ରଜନୀ ପୋଲାଇ ଆସିକା ଏନ୍‌ଏସି ଅଧ୍ୟକ୍ଷା ଭାବେ ୨୦୦୮ ପର୍ଯ୍ୟନ୍ତ ରହିଥିଲେ। ତାଙ୍କ ଭାଇବୋହୂ ମଧୁସ୍ମିତା ପୋଲାଇ ବର୍ତମାନ ଏନ୍‌ଏସି ଅଧ୍ୟକ୍ଷା ଅଛନ୍ତି। ସୂର୍ଯ୍ୟ ବର୍ତମାନ ରାଉରକେଲାରେ ରହୁଥିବା ବେଳେ ଅପରାଧୀଙ୍କ ଦ୍ୱାରା ବ୍ୟବହୃତ କାର୍‌ଟି ତାଙ୍କର ବୋଲି ଜଣାପଡ଼ିବା ଘଟଣା ପରେ ଧୀରେ ଧୀରେ ରହସ୍ୟ ପେଡ଼ି ଖୋଲିବାରେ ଲାଗିଛି।

ସେହିପରି ବବଲୁ ମାଓ ସଂଗଠନ ପିଏଲଏଫଆଇ ପୂର୍ବତନ ସଦସ୍ୟ ଥିଲା। ବର୍ତମାନ ସେ ଝାଡଖଣ୍ଡ ପ୍ରସ୍ତୁତି କୋର କମିଟିର ସଭ୍ୟ ଭାବେ ସକ୍ରିୟ ରହିଛି ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଝାଡ଼ଖଣ୍ଡ ଓ ରାଉରକେଲା ସୀମାନ୍ତରେ ଗୋଚାଲାଣ ବେଳେ ବବଲୁକୁ ମାସିକ ୩୦ ଲକ୍ଷ ଟଙ୍କା ବଟି ମିଳୁଥିବା ବେଳେ ରାଞ୍ଚିରେ ତା’ ନାଁରେ ୫୦ରୁ ଅଧିକ ମାମଲା ରହିଛି।

ଅନ୍ୟପକ୍ଷରେ ଭଂଜନଗର ଥାନାରେ ବବ୍‌ଲୁ ଓ ତାରସିଂ ଥାନାରେ ଜିତେନ୍ଦ୍ର ନାଁରେ ମାମଲା ରୁଜୁ କରାଯାଇଛି। ପୁଲିସର ଆଉ ଗୋଟିଏ ଟିମ୍‌ ଝାଡଖଣ୍ଡ ଯାଇ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଗତକାଲି ଫେରାର୍‌ ହୋଇଯାଇଥିବା ଆଉ ଜଣେ ଅଭିଯୁକ୍ତର ପତ୍ତା ମିଳିପାରିନି। ତେବେ ବବ୍‌ଲୁ ସହ ଆଉ କେଉଁ ମାନେ ଆସିଥିଲେ କି ନାହିଁ ଏବିଷୟରେ ପୁଲିସ ସମସ୍ତ ତଥ୍ୟ ଜୁଟାଇବାରେ ଲାଗିପଡ଼ିଛି। ବିଭିନ୍ନ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର