କନ୍ୟାଶ୍ରମରେ ଛାତ୍ରୀ ନିର୍ଯାତନା : ୫ ଦିନ ବନ୍ଦୀ ଅବସ୍ଥାରେ ରହିଥିଲେ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ଏମ୍‌ଏସ୍‌ସି ଲୋକାସାହି କନ୍ୟାଶ୍ରମରେ ଜଣେ ଆଦିବାସୀ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଛି। ସ୍କୁଲ୍‌ର ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ମାଡ଼ ମାରିବା ସହିତ ଗୋଟିଏ କୋଠରୀରେ ୫ ଦିନ ଧରି ବନ୍ଦୀ ଅବସ୍ଥାରେ ରଖାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଶନିବାର ସକାଳ ୯ଟା। ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ‘ଅନୁପା’ (ଛଦ୍ମନାମ) ନିଜର ତିନି ଜଣ ସାଙ୍ଗ ସ୍କୁଲ ହତା ନିକଟରେ ଠିଆ ହୋଇ ରାସ୍ତାରେ ଯାଉଥିବା କିଛି ଶ୍ରମିକଙ୍କୁ ହାତ ଠାରିଥିଲେ। ଏହି କଥା ସ୍କୁଲର ପ୍ରଧାନଶିକ୍ଷକ ଦୁଃଖା ଚରଣ ଦଳେଇ ଦେଖି ଖପ୍‌ପା ହୋଇଯାଇଥିଲେ। ଅନୁପା ଓ ତାଙ୍କ ତିନି ସାଙ୍ଗକୁ ଡାକି ଏନେଇ ତାଗିଦ୍‌ କରିବା ସହ ମାଡ଼ ମାରିଥିଲେ। ପରେ ଅନ୍ୟ ତିନି ସାଙ୍ଗକୁ ପରେ ଛାଡ଼ି ଦେଇଥିଲେ ମଧ୍ୟ ଅନୁପାଙ୍କୁ ପ୍ରଧାନଶିକ୍ଷକ ପୁଣି ମାଡ଼ ମାରିଥିଲେ। ମାଡ଼ ଏଭଳି ସାଘାଂତିକ ଥିଲା ଯେ ଏହାକୁ ସହ୍ୟ କରିନପାରି ଅନୁପା ଅଚେତ ହୋଇଯାଇଥିଲେ। ତଥାପି ପ୍ରଧାନଶିକ୍ଷକ ଅନୁପାଙ୍କୁ ଅଚେତ ଅବସ୍ଥାରେ ମାଡ଼ ଉପରେ ମାଡ଼ ମାରିଚାଲିଥିଲେ। ଏହା ପରେ ଅନୁପା ଅସୁସ୍ଥ ହୋଇ ଜ୍ୱରରେ ପୀଡ଼ିତ ହେଲେ। ଶନିବାର ଠାରୁ ବୁଧବାର ଏଭଳି ଜ୍ୱରରେ ପୀଡ଼ିତ ରହି ଅଖିଆ ଅପିଆ ଆଶ୍ରମର ନିଜ ପ୍ରକୋଷ୍ଠରେ ପଡ଼ିରହିଥିଲେ। ବୁଧବାର ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୋଷଣା ହେବା ପରେ ଅନୁପାଙ୍କ ମା’ ଓ ବଡ଼ମା’ ତାଙ୍କୁ ନେବା ପାଇଁ ଆଶ୍ରମ ଆସିବା ପରେ ଝିଅର ଏଭଳି ଅବସ୍ଥା ଦେଖି ଚକିତ ହୋଇଯାଇଥିଲେ। ତାଙ୍କ ଦେହର ମାଡ଼ ଦାଗ ସତେଜ ଥିଲା। ଏହା ଦେଖି ସେମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ସେମାନଙ୍କ କଥା କର୍ତ୍ତୃପକ୍ଷ ନଶୁଣିବାରୁ ସେମାନେ ଅନୁପାଙ୍କୁ ନେଇ ଜରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ନିଜ ଘରକୁ ନେଇଯାଇଛନ୍ତି।

ଏହି ଘଟଣା ସତ ବୋଲି ସ୍କୁଲ୍‌ର ଜଣେ ଶିକ୍ଷୟିତ୍ରୀ କହିଥିବାବେଳେ ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରାଯାଉଥିବା ସମ୍ପୃକ୍ତ ଛାତ୍ରୀଙ୍କ ବାପାମା’ ଅଭିଯୋଗ କରିଛନ୍ତି। ତେବେ, ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା ଏବିଇଓ କୈଳାସ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର