ସୁନା ଅଳଙ୍କାର ଲୁଟ୍‌: କଟକର ଦମ୍ପତି ଗିରଫ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନାକିଟି ଗ୍ରାମର ଲକ୍ଷ୍ମୀ ନାୟକ ନାମକ ଜଣେ ମହିଳାଙ୍କ ଘରୁ ସୁନା, ଟଙ୍କା ଓ ବିଭିନ୍ନ ଅଳଙ୍କାର ଆଦି ଲୁଟ୍‌ ମାମଲାରେ ଆଜି ସୋରଡ଼ା ଥାନା ପୁଲିସ କଟକ ଜିଲ୍ଲା ଚାଉଳିଆଗଞ୍ଜ ଅଞ୍ଚଳର ଦିଲ୍ଲୀପ ସାହୁ ଏବଂ ତାଙ୍କ ପତ୍ନୀ ଭଗବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚାଉଳିଆଗଞ୍ଜ ନଦୀକୁଳ ସାହିର ମୂଳବାସିନ୍ଦା ଏହି ଦମ୍ପତିଙ୍କଠୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ କରାଯାଇଛି। ସେହିପରି ଲକ୍ଷ୍ମୀଙ୍କ ଘରୁ ଏମାନେ ଲୁଟିଥିବା ଟଙ୍କା ଖର୍ଚ୍ଚ କରିସାରିଥିବା ନେଇ ସ୍ୱୀକାର କରିଥିବା ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଲକ୍ଷ୍ମୀ ସୋରଡ଼ା ସହର ଗଣିଛକରେ କଦଳୀ ବ୍ୟବସାୟ କରୁଛନ୍ତି। ଗତ ଜୁନ୍‌ ମାସ ଶେଷ ସପ୍ତାହରେ ଚାଉଳିଆଗଞ୍ଜ ଅଞ୍ଚଳର ଦିଲ୍ଲୀପ ତାଙ୍କ ପାଖକୁ ଆସି ବାଟଖର୍ଚ୍ଚ ଲାଗି କିଛି ଟଙ୍କା ସହାୟତା ଆକାରରେ ଦେବାକୁ ସେ ଲକ୍ଷ୍ମୀଙ୍କୁ ନିବେଦନ କରିଥିଲା। ଏହାର କିଛି ଦିନ ପରେ ଦିଲ୍ଲୀପ ପତ୍ନୀ ଭଗବତୀ ସହ ଆସି ଟଙ୍କା ଲକ୍ଷ୍ମୀଙ୍କୁ ଦେଇଥିଲା। କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ଲକ୍ଷ୍ମୀଙ୍କ ଘରେ ରହିଥିଲେ। ଖାଇପିଇ ଘରେ ଶୋଇ ସାରିବା ପରେ ଉଭୟ ଲକ୍ଷ୍ମୀଙ୍କ ଘରର ଆଲମିରା ଭାଙ୍ଗି ସୁନାଗହଣା ଓ ଟଙ୍କା ଆଦି ନେଇ ରାତାରାତି ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର