ଅପହୃତ ଯୁବକଙ୍କୁ ହତ୍ୟା : ତିନି ଦିନ ପରେ ମିଳିଲା ଶବ

ଶେରଗଡ଼ : ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ରୁଗୁମୁ ଗ୍ରାମର ମିଥୁନ୍‌ ସ୍ୱାଇଁ (୨୫) ନାମକ ଜଣେ ଯୁବକଙ୍କୁ ତିନି ଦିନ ପୂର୍ବେ ଅପହରଣ କରା ଯାଇଥିବା ଅଭିଯୋଗ ହୋଇଥିଲା। ଆଜି ସକାଳେ ତାଙ୍କ ଗଳିତ ଶବ ଶେରଗଡ଼-ସେରାଙ୍କୁଡ଼ା ରାସ୍ତା ପାର୍ଶ୍ୱ ଏକ ନାଳରୁ ମିଳିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଅପହରଣକାରୀ ତାଙ୍କୁ ହତ୍ୟା କରି ନାଳରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଆସିକା ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ଶେରଗଡ଼ ଥାନା ଅଧିକାରୀ ଏବଂ ବଡ଼ଗଡ଼ ଥାନା ପୁଲିସ ଏସ୍‌ଆଇ ମନୋରମା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଛି। ବଡ଼ଗଡ଼ ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପୂର୍ବଶତ୍ରୁତା ଓ ବଚସାକୁ କେନ୍ଦ୍ର କରି ମିଥୁନ୍‌ଙ୍କୁ ଅପହରଣ ଓ ସଂଘବଦ୍ଧ ଭାବେ ଆକ୍ରମଣ ପରେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ବିଦେଶୀ ସ୍ୱାଇଁ ଅଭିଯୋଗ କରିଛନ୍ତି।

ଗତ ୩୦ ତାରିଖ ସନ୍ଧ୍ୟାରେ ମିଥୁନ୍‌ କୌଣସି କାମରେ ବାଦଗଡ଼ ଗ୍ରାମରେ ଥିବା ତାଙ୍କ ମାମୁଁ ଘରକୁ ନିଜ ବୁଲେଟ୍‌ରେ ଯାଇଥିଲେ। ସେଠାରୁ ୭ରୁ ୮ଜଣ ଯୁବକ ତାଙ୍କୁ ମାର୍‌ଧର୍‌ କରିବା ସହ ମୁଣ୍ଡକୁ ବୋତଲରେ ପିଟି ଅପହରଣ କରି ନେଇଥିବା ସଂକ୍ରାନ୍ତରେ ବାପା ବିଦେଶୀ ବଡ଼ଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଏହାକୁ ଆଧାର କରି ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ମିଥୁନଙ୍କ କୌଣସି ପତ୍ତା ମିଳୁ ନଥିଲା। ଆଜି ସକାଳେ ଶେରଗଡ଼-ସେରାଙ୍କୁଡ଼ା ରାସ୍ତା ପାର୍ଶ୍ୱ ନାଳରେ ଗଳିତ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଶେରଗଡ଼ ଥାନାକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଥିଲେ। ବଡ଼ଗଡ଼ ଥାନା ପୁଲିସ ସହ ବିଦେଶୀ ସେଠାରେ ପହଞ୍ଚି ତାଙ୍କ ପୁଅ ମିଥୁନ୍‌ର ଶବ ଚିହ୍ନଟ କରିଥିଲେ। ବିଭିନ୍ନ ଦିଗରୁ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦୁଇ ଜଣଙ୍କୁ ସନ୍ଦେହରେ ଆଣି ଅଟକ ରଖି ପଚରାଉଚରା କରୁଛି। ମିଥୁନ୍‌ଙ୍କ ବାପା ଦେଇଥିବା ଏତଲାରେ ୮ଜଣ ଯୁବକଙ୍କ ନାମ ଉଲ୍ଲେଖ କରିଛନ୍ତି। ଖୁବ୍‌ ଶୀଘ୍ର ଅଭିଯୁକ୍ତ ଗିରଫ ହେବେ ବୋଲି ଆସିକା ଏସ୍‌ଡିପିଓ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର