ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ 

ଆସିକା: ଧରାକୋଟ ବ୍ଲକ ସରଦାପୁର ପଞ୍ଚାୟତ ହିରାଖଣ୍ଡି ଗ୍ରାମର ବାଲାଜୀ ନାୟକ (୨୨)ଙ୍କ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଚିକିତ୍ସା ଅବହେଳାରୁ ବାଲାଜୀର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ଆସିକା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଗତକାଲି ରାତିରେ ବାଲାଜୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବାରୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାଇରିଆ ୱାର୍ଡରେ ଭର୍ତ୍ତି କରିଥିଲେ। ପ୍ରଥମେ ଗୋଟିଏ ସାଲାଇନ ଦିଆଯାଇ ଥିଲେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତ ନ ଆସିବାରୁ ପରିବାର ଲୋକେ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷଙ୍କୁ ଉତ୍ତମ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। ତେବେ ଡାକ୍ତର ବ୍ୟସ୍ତ ହେଲେ ବ୍ରହ୍ମପୁର ନେଇଯାଅ ବୋଲି କୁଆଡ଼େ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ଗରିବ ପରିବାର ହୋଇଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର ପାଇଁ ଉଚିତ୍ ଅର୍ଥ ନଥିବାରୁ ରୋଗୀକୁ ସ୍ଥାନାନ୍ତର କରିପାରିନଥିଲେ । ଆଜି ସନ୍ଧ୍ୟା ସମୟରେ ବାଲାଜୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦିନସାରା କେହି ଜଣେ ଡାକ୍ତର ରୋଗୀ ପାଖରେ ପହଞ୍ଚି ନଥିବାରୁ ବାଲାଜୀଙ୍କ ଜୀବନ ଅକାଳରେ ଚାଲିଗଲା ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର