ପ୍ରେମବିବାହ ପରେ ପତ୍ନୀ ହତ୍ୟା

୪ ଦିନ ପରେ ବୁଦାରୁ ମିଳିଲା ଗଳିତ ଶବ, ବାପ-ପୁଅ ଗିରଫ

ସୋରଡ଼ା : ପ୍ରେମ ବିବାହକୁ ସ୍ୱୀକୃତି ନ ମିଳିବାରୁ ପତ୍ନୀକୁ ହତ୍ୟା। ଗଂଜାମ ଜିଲ୍ଲା ସୋରଡ଼ା ସହରରେ ପ୍ରେମ ବିବାହ କରିଥିବା ପ୍ରଭାକର ବିଷୋୟୀ (୧୮) ପତ୍ନୀ ଭାଗ୍ୟଲତା ବେହେରା(୨୮)ଙ୍କୁ ତଣ୍ଟି ଚିପି ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରଭାକରଙ୍କ ପିତା ଏଥିରେ ସହଯୋଗ କରିଥିବା ବି ଅଭିଯୋଗ ହୋଇଛି। ଭାଗ୍ୟଲତାଙ୍କ ଗଳିତ ମୃତଦେହକୁ ସୋରଡ଼ାଠୁ ୩ କିଲୋମିଟର ଦୂର ରାଇପଲ୍ଳୀ ଜୋକବନ୍ଧ ନିକଟ ବୁଦାରୁ ଉଦ୍ଧାର କରାଯାଇଛି। ଏନେଇ ସୋରଡ଼ା ଥାନାରେ ଏକ ମାମଲା ରୁୁଜୁ ପରେ ପୁଲିସ ପ୍ରଭାକର ଏବଂ କୀର୍ତ୍ତନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନାନୁସାରେ, ସୋରଡ଼ା ଥାନା ଅମୃତୁଲୁ ପଞ୍ଚାୟତ ବୁଗୁଡ଼ା ଗ୍ରାମର କୀର୍ତ୍ତନ ଏବଂ ପୁଅ ପ୍ରଭାକର ୨୦୧୨ ମସିହାରେ କାମ କରିବାକୁ କେରଳ ପଳାଇଥିଲେ। ସେଠାରେ ଜଗନ୍ନାଥପ୍ରସାଦ ବ୍ଲକ ତାରସିଂ ଥାନା ଜାଡ଼ଧର ଗ୍ରାମର ଭାଗ୍ୟଲତାଙ୍କ ସହ ପ୍ରଭାକରଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା। ଭାଗ୍ୟଲତା ତାଙ୍କଠୁ ବୟସରେ ୧୦ ବର୍ଷ ବଡ଼ ଥିଲେ। ପିଲାଟି ଦିନରୁ ଭାଗ୍ୟଲତାଙ୍କ ମା’ ମରି ଯାଇଥିବା ବେଳେ ବାପା ବି ତାଙ୍କୁ ଛାଡ଼ି ଅନ୍ୟତ୍ର ପଳାଇଥିଲେ। ଭାଗ୍ୟଲତାଙ୍କୁ ତାଙ୍କ ମାମୁ କୈଳାସ ପାଣ୍ଡବ ଲାଳନ ପାଳନ କରୁଥିଲେ।

କିଛି ଦିନ ପରେ କେରଳର ଏକ ମନ୍ଦିରରେ ପ୍ରଭାକର ଏବଂ ଭାଗ୍ୟଲତା ବିବାହ କରିଥିଲେ। ହେଲେ ପ୍ରଭାକରଙ୍କ ବିବାହକୁ ବାପା କୀର୍ତ୍ତନ ଓ ଅନ୍ୟ ପରିବାର ଲୋକେ ସ୍ୱୀକୃତି ଦେଇ ନଥିଲେ। ତିନିବର୍ଷ ଧରି କେରଳରେ ରହିବା ପରେ ଗତବର୍ଷ ପ୍ରଭାକର ଓ ଭାଗ୍ୟଲତା ସେଠାରୁ ଆସି ଜଗନ୍ନାଥପ୍ରସାଦ ବ୍ଲକ ଜାଡ଼ଧର ଗ୍ରାମରେ ଚା’ ଦୋକାନ କରି ମାମୁ କୈଳାସଙ୍କ ଘରେ ରହୁଥିଲେ। ଏହାମଧ୍ୟରେ ପ୍ରଭାକର ତାଙ୍କ ନିଜ ଘର ବୁଗୁଡ଼ା ଗ୍ରାମକୁ ଯିବା ଆସିବା କରୁଥିଲେ ମଧ୍ୟ ପରିବାର ଲୋକେ ଭାଗ୍ୟଲତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲେ। ଶେଷରେ ବାପା କୀର୍ତ୍ତନଙ୍କ ସହ ମିଶି ଭାଗ୍ୟଲତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ରଭାକର ଯୋଜନା କରିଥିବା ଅଭିଯୋଗ ହୋଇଛି।

ଗତ ୧୦ ତାରିଖରେ ଭାଗ୍ୟଲତା କୁଆଡ଼େ ନିଖୋଜ ହୋଇ ଯାଇଥିବା ସୋରଡ଼ା ଥାନାରେ ଅଭିଯୋଗ ହୋଇଥିଲା। ସନ୍ଦେହରେ ପ୍ରଭାକର ଓ କୀର୍ତ୍ତନଙ୍କୁ ଆଣି ପଚରାଉଚରା କରାଯାଇଥିଲା। ଭାଗ୍ୟଲତାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଏଠାରୁ ତିନି କିଲୋମିଟର ରାଇପଲ୍ଳୀ ଗ୍ରାମ ନିକଟ ବୁଦାରେ ଫୋପାଡ଼ି ଦେଇଥିବା ସେମାନେ ସ୍ୱୀକାର କରିଥିଲେ। ବୁଦାରୁ ଭାଗ୍ୟଲତାଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର