ଯୁବକଙ୍କୁ ପିଟି ପିଟି ମାରି ଦେଲେ

ଜଗନ୍ନାଥପ୍ରସାଦ : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭାବସର ଗ୍ରାମରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ପରେ ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ଅଭି ସେଠୀ (୩୨)। ଗାଁରେ ବିଶୃଙ୍ଖଳା ଓ ଦୌରାତ୍ମ୍ୟ କରୁଥିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ଓ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ଏ ନେଇ ଥାନାରେ ଦୁଇଟି ଏତଲା ହୋଇଛି।

ମିଳିଥିବା ସୂଚନାନୁସାରେ, ଅଭି ଜଣେ ମଦ ବେପାରୀ। ଏହାସହ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଜଗନ୍ନାଥପ୍ରସାଦରେ ତାଙ୍କ ନାମରେ ୯ଟି ମାମଲା ରହିଛି। ଗ୍ରାମରେ ବିଭିନ୍ନ ସମୟରେ ସେ ଲୋକଙ୍କ ସହ ଗଣ୍ଡଗୋଳ କରୁଥିବା ସହ ଧମକଚମକ ଦେଇ ଆସୁଥିଲେ। ଫଳରେ ଏଥିରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତକାଲି ଗ୍ରାମର ସନ୍ତୋଷଙ୍କ ସହ ଅଭି ମଦ ପିଇ ଗଣ୍ଡଗୋଳ କରିଥିଲେ। ସନ୍ତୋଷଙ୍କ ପତ୍ନୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏକଥା ସନ୍ତୋଷ ତାଙ୍କ ସହଯୋଗୀ ଭୀମ, ପ୍ରତାପ, ନାରାୟଣ ଓ ଧିରେନ୍‌ଙ୍କୁ ଜଣାଇଥିଲେ। ସେମାନେ ଗତକାଲି ରାତିରେ ଅଭିଙ୍କୁ ଘରୁ ଡାକି ଆଣି ମାଡ଼ ମାରିବା ପରେ ଏକ କୋଠରିରେ ବନ୍ଦ କରି ରଖିଥିଲେ। ଆଜି ସକାଳୁ ପୁଣି ଥରେ ଠେଙ୍ଗା, ବାଡ଼ି, କାତି ସାହାଯ୍ୟରେ ଅଭିଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ ଅନ୍ୟ କିଛି ଲୋକ ସେଠାରୁ ଅଭିଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ଡାକ୍ତର ଭଂଜନଗର ଉପଖଣ୍ଡ ଡାକ୍ତରଖାନାକୁ ନେଇ ଯିବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍‌ସକୁ ଏଥିପାଇଁ ଯୋଗାଯୋଗ କରିଥିଲେ ବି ଆମ୍ବୁଲାନସ୍‌ ଆସି ନଥିଲା। ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଅଭିଙ୍କ ମୃତ୍ୟୁ ହୋଇଥିଲା।

ଭଂଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କ ଉପସ୍ଥିିତିରେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଅଭିଙ୍କ ପତ୍ନୀଙ୍କ ବୟାନ୍‌ ରେକର୍ଡ ହୋଇଛି। ସନ୍ତୋଷ ଓ ତାଙ୍କର ୪ ସହଯୋଗୀ ଭୀମ ସେଠୀ, ପ୍ରତାପ ସେଠୀ, ନାରାୟଣ ସେଠୀ ଓ ଧିରେନ୍‌ ଡାକୁଆ ସଂଘବଦ୍ଧ ଭାବେ ମିଶି ଅଭିଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।

ଏନେଇ ଜଗନ୍ନାଥପ୍ରସାଦ ଥାନାରେ ସେ ଏକ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଛି। ସେହିପରି ସନ୍ତୋଷ ସେଠୀଙ୍କ ପତ୍ନୀ ମଧ୍ୟ ଅଭିଙ୍କ ବିରୋଧରେ ପାଲଟା ଅଭିଯୋଗ ଦେବା ପରେ ଆଉ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର