ରକ୍ତଦାନ କରି ନୂଆ ଜୀବନର ମୂଳଦୁଆ ପକାଇଲେ ନବଦମ୍ପତି, ଭିନ୍ନ ଧରଣର ବିବାହ କରି ସାଜିଲେ ଉଦାହରଣ

ବ୍ରହ୍ମପୁର: ଭିନ୍ନ ଏକ ବିବାହ। ଭିନ୍ନ ଏକ ବାର୍ତ୍ତା। ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଥିଲା ଏକ ନିଆରା ବାହାଘର। ଯେଉଁଠି ନା ବାଜିଥିଲା ବାଜା, ନା ରୋଷଣୀ କରି ଶୋଭାଯାତ୍ରାରେ ଆସିଥିଲା ବର। ବିନା ଜାନି ଯୌତୁକ, ଜାତି, ଜାତକ ଓ କର୍ମକାଣ୍ଡରେ ସଂପନ୍ନ ହୋଇଛି ବାହାଘର। ବରଣମାଳା ପିନ୍ଧାଇ ସାତଜନ୍ମ ପାଇଁ ଶପଥ ନେଇ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିପ୍ଳବ ଓ ଅନିତା। ଆଉ ବିବାହ ଉତ୍ସବରେ ରକ୍ତଦାନ ଶିବିରର ଆୟୋଜନ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।

ବ୍ରହ୍ମପରର ଭିନ୍ନ ଏକ ବାହାଘର, ସାକ୍ଷୀ ରହିଲା ସମ୍ବିଧାନ। ରକ୍ତଦାନ ଶିବିରର ଦୁଇଟି ବେଡରେ ନବ ଦମ୍ପତି। ରକ୍ତଦାନ କରି ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି ବ୍ରହ୍ମପୁରର ଏହି ନବ ଦମ୍ପତି, ବିପ୍ଲବ କୁମାର ଓ ଅନିତା ପାତ୍ର। ବିନା ବାଣ, ବାଜା, ରୋଷଣୀ, ଜାନି ଯୌତୁକ, ଜାତି, ଜାତକ ଓ କର୍ମକାଣ୍ଡରେ ସଂପନ୍ନ ହୋଇଛି ଏମାନଙ୍କ ବିବାହ। ବ୍ରହ୍ମପୁରର କମାପଲ୍ଲୀସ୍ଥିତ ବୈଦନାଥେଶ୍ୱର ମନ୍ଦିରର କଲ୍ୟାଣ ମଣ୍ଡପରେ ଭିନ୍ନ ଏକ ବାହାଘର ଅନୁଷ୍ଠିତ ହୋଇଯାଇଛି।

ଭିନ୍ନ ଏକ ବିବାହ, ଭିନ୍ନ ଏକ ବାର୍ତ୍ତା। କୁସଂସ୍କାର ଦୂର ପାଇଁ ଉଦ୍ୟମ। ଫୁଲବାଣୀର ବିପ୍ଲବ ଓ ବ୍ରହ୍ମପୁର ଗୋଇଲୁଣ୍ଡିର ଅନିତାଙ୍କ ସହମତିରେ ବିବାହ ସଂପନ୍ନ ହୋଇଛି। ତେବେ ବାହାଘର ପାଇଁ ଅଯଥା ଟଙ୍କା ଖର୍ଚ୍ଚ ନକରି ସମାଜ ପାଇଁ କିଛି କରିବାର ଇଚ୍ଛା ରଖି ବିବାହ ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହାସହ ବିବାହ ପ୍ରଥାରେ ଥିବା କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରିବା ପାଇଁ ଚିନ୍ତା କରିଥିଲେ ଉଭୟ ବର-କନ୍ୟା।

ତେଣୁ ମାନବବାଦୀ ହେତୁବାଦୀ ସଂଗଠନ ସହଯୋଗରେ ବାହାଘର ଦିନ ରକ୍ତଦାନ କରିବା ପରେ ବିଧବା ମହିଳାଙ୍କଠାରୁ ବରଣମାଳା ଗ୍ରହଣ କରି ଉଭୟ ବିପ୍ଲବ ଓ ଅନିତା ପରସ୍ପରକୁ ପିନ୍ଧାଇ ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି। ସାମଜରେ ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରିବା ପାଇଁ ହେତୁବାଦୀ ସଂଗଠନ ଉଦ୍ୟମ କରିଛି। ଆଉ ବହ୍ମପୁରର ଏହି ଆଦର୍ଶ ବାହାଘର ଆଗାମୀ ଦିନରେ ଯୁବପିଢୀଙ୍କ ପାଇଁ ପ୍ରେରଣା ନିଶ୍ଚୟ।

ସମ୍ବନ୍ଧିତ ଖବର