ନିଖୋଜର ୨୪ ଘଣ୍ଟା ପରେ ଜଙ୍ଗଲରୁ ମିିଳିଲା ପ୍ରେମିକାର ଶବ

ଉଦ୍ଧାର ପ୍ରେମିକ ବି ବଡ଼ ମେଡିକାଲରେ ମୃତ

ଗଂଜାମ : ଗଂଜାମ ଜିଲ୍ଲା ଗଂଜାମ ବ୍ଲକ ରମ୍ଭା ଥାନା ଅଧୀନ ପ୍ରୟାଗି ନିକଟ କାଜୁ ଓ ଝାଉଁ ଜଙ୍ଗଲ ମଧ୍ୟରେ ଜଣେ କଲେଜ ଛାତ୍ରୀଙ୍କ ଶବ ମିଳିବା ଓ ଗୁରୁତର ଅବସ୍ଥାରେ ତାଙ୍କ ପ୍ରେମିକଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ଅପରାହ୍ନ ପ୍ରାୟ ସାଢେ ୨ଟାରେ କୋଇରାଶି ପଞ୍ଚାୟତ ବଡ଼ଚକଡ଼ା ଗ୍ରାମର ପ୍ରିୟଙ୍କା ସେଠୀ (୧୯) ମୃତଦେହ ଜଙ୍ଗଲ ଭିତରୁ ମିଳିଥିବା ବେଳେ ତାଙ୍କ ପ୍ରେମିକ ଶିବ ସ୍ୱାଇଁ (୨୪)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ବ୍ରହ୍ମପୁର ବଡ଼ମେଡିକାଲରେ ଶିବଙ୍କ ମୃତ୍ୟୁ ହୋଇଥିଲା।

ଗତକାଲିଠୁ ପ୍ରିୟଙ୍କା ଓ ଶିବ ନିଖୋଜ ଥିଲେ। ପ୍ରିୟଙ୍କାଙ୍କ ବେକରେ କଳାଦାଗ ଥିବା ବେଳେ ସେ ୟୁନିଫର୍ମ ପିନ୍ଧିଛନ୍ତି। ସେହିପରି ଶିବଙ୍କ ପୋଷାକ ଚିରି ଯାଇଥିବା ବେଳେ ତାଙ୍କର ଶରୀରରେ ଆଭ୍ୟନ୍ତରୀଣ ଆଘାତ ଲାଗିଥିଲା। ଉଭୟଙ୍କ ମୃତଦେହକୁ ବ୍ରହ୍ମପୁର ବଡ଼ମେଡିକାଲରେ ବ୍ୟବଚ୍ଛେଦ କରାଯାଇଛି। ତେବେ କେଉଁ ଓ କିଭଳି ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ନା ଏହା ପଛରେ ଅନ୍ୟ କେଉଁ କାରଣ ରହିଛି ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛିି ରମ୍ଭା ଥାନା ଅଧିକାରୀ ନମିତା ନାହାକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ ବଡ଼ଚକଡ଼ା ଗ୍ରାମର ନାରାୟଣ ସେଠୀଙ୍କ ଝିଅ ପ୍ରିୟଙ୍କା ହେଉଛନ୍ତି ଖଣ୍ଡଦେଉଳି ଭଗତ ସିଂ ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳା ଛାତ୍ରୀ। ଦୁଇ ବର୍ଷ ହେଲା ତାଙ୍କର ଭାସ୍କର ସ୍ୱାଇଁଙ୍କ ପୁଅ ଶିବଙ୍କ ସହ ପ୍ରେମ ସଂପର୍କ ରହିଥିଲା। ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ସାମାନ୍ୟ ବିବାଦ ଚାଲିଥିଲା।

ସବୁଦିନ ଭଳି ପ୍ରିୟଙ୍କା ଗତକାଲି କଲେଜ ଯିବାକୁ ବାହାରିଥିଲେ। ଖଣ୍ଡଦେଉଳିଠୁ ବାଇକ୍‌ରେ ସେ ଶିବଙ୍କ ସହ ରାମଗଡ଼ ପଞ୍ଚାୟତର ଅଳେଶ୍ୱର ମନ୍ଦିର ପାଖକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଶିବ ତାଙ୍କ ମୋବାଇଲ୍‌ରୁ ଘର ଲୋକଙ୍କୁ ଫୋନ୍‌ କରି କହିଥିଲେ ସେ ଗୁରୁତର ଅବସ୍ଥାରେ ପ୍ରୟାଗୀ ନିକଟ କାଜୁ ଜଙ୍ଗଲରେ ଅଛନ୍ତି। ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଉ। ଏହା ଶୁଣି ବ୍ୟସ୍ତବ୍ୟବତ୍ର ପରିବାର ଲୋକେ ସେଠାରେ ପହଞ୍ଚି ଶିବଙ୍କୁ ଉଦ୍ଧାର କରିଥିଲେ। ହେଲେ ବ୍ରହ୍ମପୁର ବଡ଼ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାର ମାତ୍ର ଅଳ୍ପ ସମୟ ପରେ ମନ୍ଦିରଠୁ ଦୁଇ କିଲୋମିଟର ଦୂର କାଜୁ ଓ ଝାଉଁ ବଣ ଜଙ୍ଗଲ ମଧ୍ୟରେ ପ୍ରିୟଙ୍କାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର