ଏମ୍‌କେସିଜି ମେଡିକାଲରେ ଜିଲ୍ଲାପାଳଙ୍କ ସମୀକ୍ଷା:ସିସି କ୍ୟାମେରା ଖଞ୍ଜିବାକୁ ପ୍ରଶାସନ ଦେବ ୮ଲକ୍ଷ

ନୂଆ କୋଠାକୁ ସ୍ଥାନାନ୍ତର ହେବ ବିଭାଗ:ତୁରନ୍ତ ପୂରଣ କରାଯିବ ଖାଲି ପଦବି

ବିଏମ୍‌ସି ଯୋଗାଇବ ୨୯ ଝାଡ଼ୁଦାର
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସର୍ବବୃହତ ଏମ୍‌କେସିଜି ମେଡିକାଲର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ସହିତ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନକୁ ଜଗିବା ପାଇଁ ବିଭିନ୍ନ ସ୍ଥାନରେ ବାୟୋମେଟ୍ରିକ୍‌ ଖଞ୍ଜାଯାଇଛି। ଏହାପରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୮ଲକ୍ଷ ଟଙ୍କା ଦିଆଯିବ ବୋଲି ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।
ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ଏବଂ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଚୌଧରୀ। କଲେଜ ପରିସର ଟେଲି ମେଡିସିନ୍‌ ସେଣ୍ଟର୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଉପଜିଲ୍ଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଏମ୍‌ସି କମିସନର୍‌ ନିଖିଲ ପଓ୍ଵନ କଲ୍ୟାଣ, ଏଏସ୍‌ପି ତ୍ରିନାଥ ପଟେଲ, କଲେଜର ଅଧ୍ୟକ୍ଷ ତଥା ଡିନ୍‌ ଡା. ରାଧାମାଧବ ତ୍ରିପାଠୀ, ଅଧୀକ୍ଷକ ଡା. ଚରଣ ପଣ୍ଡା, ପୂର୍ତ୍ତ ବିଭାଗ-୧ ନିର୍ବାହୀ ଯନ୍ତ୍ରୀ ବିନୋଦ ପାଢ଼ୀ, ଏସ୍‌ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟ ଉପସ୍ଥିତ ଥିଲେ। ମେଡିକାଲରେ ରୋଗୀ କିପରି ଆବଶ୍ୟକ ଚିକିତ୍ସା ସୁବିଧା ପାଇବେ ସେ ଦିଗରେ ବୈଠକରେ ଆଲୋଚନା ହୋଇଥିଲା। ପୂର୍ତ୍ତ ବିଭାଗ ମେଡିକାଲର ପୁରୁଣା କୋଠାକୁ ଅସୁରକ୍ଷିତ ଘୋଷଣା କରି ସାରିଥିବା ବେଳେ ରୋଗୀଙ୍କ ସୁରକ୍ଷା ପାଇଁ ଶଲ୍ୟ ଚିକିତ୍ସା ବିଭାଗରେ ଥିବା ୨୮୨ ଶଯ୍ୟା ଏବଂ ଇଏନ୍‌ଟିର ୩୦ ଶଯ୍ୟା ବିଶିଷ୍ଟ ବିଭାଗକୁ ନୂତନ କୋଠାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା।

ସେହିପରି ୬୦ ଶଯ୍ୟା ବିଶିଷ୍ଟ ଅସ୍ଥିଶଲ୍ୟ ବିଭାଗକୁ ପିଏମ୍‌ଆର୍‌ ବିଭାଗର ଦ୍ୱିତୀୟ ଓ ତୃତୀୟ ମହଲାକୁ ସ୍ଥାନାନ୍ତର କରାଯିବ। ମେଡିିସିନ୍‌ ବିଭାଗର ୭୦ ଶଯ୍ୟା ବିଶିଷ୍ଟ ବିଭାଗକୁ ପିଏମ୍‌ଆର୍‌ କୋଠାକୁ ସ୍ଥାନାନ୍ତର କରାଯିବ। ସେହିପରି ମେଡିକାଲରେ ଖାଲି ଥିବା ୧୨୦ ଝାଡ଼ୁଦାର, ୫୦ ଡିଇଓ, ୧୫ ଫାର୍ମାସିଷ୍ଟ, ୪୩ ଲିଫ୍‌ଟ ଅପରେଟର୍‌ ଓ ୨ ବାୟୋ ମେଡିକାଲ ଇଂଜନିୟର୍‌ ପଦବି ପୂରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ଆଉଟ ସୋର୍ସିଂ ଜରିଆରେ ସମସ୍ତ ତୃତୀୟ ଶ୍ରେଣୀ କର୍ମଚାରୀ ପଦବି ପୂରଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ସେହିପରି ଷ୍ଟାଫନର୍ସ ନିଯୁକ୍ତି ପାଇଁ ପ୍ରଶାସନିକ ଅଧିକାରୀ ଓ ଡିଓଡବ୍ଲୁଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ପରିମଳ ବ୍ୟବସ୍ଥା ପାଇଁ ବିଏମ୍‌ସି ତରଫରୁ ୨୯ଜଣ ଝାଡ଼ୁଦାର ଜାନୁଆରି ୧୫ତାରିଖରୁ କାର୍ଯ୍ୟରେ ଯୋଗ ଦେବେ ବୋଲି କମିସନର୍‌ କହିଥିଲେ। ସେହିପରି କଲେଜ ଓ ହସ୍‌ପିଟାଲର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସିସି କ୍ୟାମେରା ଖଞ୍ଜାଯିବ। କାର୍ଯ୍ୟକ୍ଷମ ଥିବା ଟ୍ରମା କେୟାର୍‌ ସେଣ୍ଟର୍‌ର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା କରାଯାଇ ଖାଲି ପଡ଼ିଥିବା ପଦବି ପୂରଣ ଉପରେ ଆଲୋଚନା ହୋଇଥିଲା। ସେହିପରି ମେଡିକାଲର ଷ୍ଟାଫ୍‌ ନର୍ସମାନଙ୍କ ରହିବା ପାଇଁ କ୍ୱାଟର୍‌ ବ୍ୟବସ୍ଥା ପାଇଁ ମଧ୍ୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର