ଗ୍ରାମସଭାରେ ଅପମାନର ପ୍ରତିଶୋଧ : ଛେଳି ଜଗୁଆଳୀଙ୍କୁ ନିର୍ମମ ହତ୍ୟା

ସୋରଡ଼ା : ଛେଳି ଚୋର ବୋଲି ଗ୍ରାମସଭାରେ ଅପମାନ ଏବଂ ଏଥିରେ ପ୍ରତିଶୋଧପରାୟଣ ହୋଇ ଜଣେ ଛେଳି ଜଗୁଆଳୀ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତ ଯୁବକ ଫେରାର୍‌ ହୋଇଯାଇଥିବାବେଳେ ପୁଲିସ୍‌ ତାକୁ ଧରିବା ପାଇଁ ତନାଘନା ଚଳାଇଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସନ୍ଧିଗୁଣ୍ଡୁରିବାଡ଼ି ଗ୍ରାମରେ ଏହିଭଳି ଏକ ହତ୍ୟାକାଣ୍ଡ ଘଟିଛି।

ମୃତ ବୃଦ୍ଧ ହେଉଛନ୍ତି ବାଞ୍ଛାନିଧି ଗୌଡ଼ (୭୦)। ମିଳିଥିବା ସୂଚନାନୁସାରେ, ଗ୍ରାମ ନିକଟରେ ଥିବା ଛେଳି ଗୋଠରେ ବାଞ୍ଛାନିଧି ଜଗୁଆଳୀ ଭାବେ କାମ କରୁଥିଲେ। ପ୍ରତିଦିନ ରାତିରେ ଛେଳି ଚୋରି ହେଉଥିବାରୁ ଗ୍ରାମବାସୀ ଚିନ୍ତିତ ଥିଲେ। ତେବେ ଗୋଠ ନିକଟରେ ୩ ଦିନ ତଳେ ଗଂଗାଧର ସେଠୀ ବୁଲୁଥିବା ବେଳେ ତାକୁ ଛେଳି ଚୋର ବୋଲି ବାଞ୍ଛାନିଧି ସନ୍ଦେହ କରିବା ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଗଂଗାଧରକୁ କାବୁ କରିଥିଲେ। ଏହାପରେ ଗ୍ରାମସଭା ଡକାଇ ଏଭଳି ଚୋରି ନ କରିବା ପାଇଁ ତାଗିଦ୍‌ କରିଥିଲେ। ଏଥିରେ ଗଂଗାଧର ଅପମାନିତ ହୋଇ ଜଗୁଆଳି ବାଞ୍ଛାନିଧିଙ୍କୁ ହତ୍ୟା କରିବାକୁ ସୁଯୋଗ ଖୋଜୁ ଥିଲା। ଗତକାଲି ବିଳମ୍ବିତ ରାତିରେ ବାଞ୍ଛାନିଧି ଏକୁଟିଆ ଗୋଠରେ ଥିବା ବେଳେ ଗଂଗାଧର ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଚୋଟ ପକାଇ ଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଏନେଇ ବାଞ୍ଛାନିଧିଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ୍‌ କେସ୍‌.ନଂ ୧୪୧ ଅନୁସାରେ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର