ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କର ମୃତ୍ୟୁ, ମୃତକ ପୂର୍ବତନ ସରପଞ୍ଚଙ୍କ ପୁଅ ହୋଇଥିବା ସୂଚନା

ଛତ୍ରପୁର: ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତର ଇଚ୍ଛାପୁର ଗ୍ରାମର ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା କଲେ ଦୁର୍ବୃତ୍ତ | ମୃତକ ଯୁବକ ଜଣକ ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ ନାୟକ (୩୨) ହୋଇଥିବା ଜଣାପଡିଛି | ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି | ଏହି ଆକ୍ରମଣରେ ସୁଶାନ୍ତଙ୍କ ସହଯୋଗୀ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି | ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି |

ମିଳିଥିବା ସୂଚନା ମୁତାବକ ଗତ ପଞ୍ଚାୟତ ନିର୍ବାଚନରୁ ସେହି ଗାଁର ନେତା ପୂର୍ଣ୍ଣ ନାୟକ ଓ ଦଣ୍ଡପାଣି ନାୟକଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା | ଗତକାଲି ସନ୍ଧ୍ୟାରେ ଇଚ୍ଛାପୁର ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ସୁଶାନ୍ତଙ୍କ ସହ ତାଙ୍କ ସାଙ୍ଗ ଓ ପୂର୍ଣ୍ଣ ନାୟକଙ୍କ ସହ ତାଙ୍କ ପୁଅ ରଙ୍କ ନାୟକ ମଧ୍ୟ ଆହତ ହୋଇଥିଲେ | ତେବେ ସୁଶାନ୍ତ ନାୟକ ଗୁରୁତର ଆହତ ହୋଇଥିଲେ |

ସୁଶାନ୍ତଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ସୁଶାନ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ବର୍ତ୍ତମାନ ଗାଁରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି | ଗାଁରେ ୨ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି | ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର