ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକରେ ଖରିଫ ଓ ରବି ଫସଲ ସମେତ ପନିପରିବା ଫସଲକୁ ଜଳସେଚନର ଏକମାତ୍ର ମାଧ୍ୟମ ହେଉଛି ହୀରାଧରବାଟି କେନାଲ ଜଳସେଚନ ପ୍ରକଳ୍ପ। ଏହି ଅଞ୍ଚଳର ଲାଇଫ୍ ଲାଇନ୍ ଭାବେ ପରିଚିତ ଏହି କେନାଲ ସେଚ ପ୍ରକଳ୍ପର ମରାମତି ଓ ପୁନରୁଦ୍ଧାର ପାଇଁ ଗଲା ୧୦ ବର୍ଷ ଭିତରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଅନୁଦାନ ଆସିଛି। କିନ୍ତୁ ଏହା ପରିଚାଳନାଗତ ଅବହେଳା, ଆନ୍ତରିକତା ଅଭାବରୁ ସୁବିନିଯୋଗ ହୋଇପାରୁ ନାହିଁ। ପ୍ରତିବର୍ଷ କେନାଲ ବୁଶ୍ କଟିଂ, କଂକ୍ରିଟ୍ ଓ୍ଵାଲ୍ ନିର୍ମାଣ, ମାଟି ସଫେଇ ଆସି ଲାଗି ଆସୁଥିବା ଅନୁଦାନ ଖର୍ଚ୍ଚ ନହୋଇ ବାଟମାରଣା ହୋଇଯାଉଛି। ଫଳରେ ବହୁ ପୁରାତନ ଏହି କେନାଲ ଚାଷ ଜମିକୁ ଜଳ ଯୋଗାଇବା ବଦଳରେ ଏବେ ପୋତି ହେବା ଅବସ୍ଥାରେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୁଷୋତ୍ତମପୁର ଓ ହୁମ୍ମା ଅଞ୍ଚଳରେ ଚାଷୀ ଏବଂ ଚାଷର ବିକାଶ ପାଇଁ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ହନୁମାନପଲ୍ଲୀ ଛକରୁ ହୀରାଧରବାଟି କେନାଲ ପ୍ରବାହିତ। ଦୀର୍ଘ ୪୧.୧୮ କିଲୋମିଟର ଅତିକ୍ରମ କରି କେନାଲ ଗଂଜାମ ବ୍ଲକର ହୁମ୍ମାରେ ଶେଷ ହୋଇଛି। କେନାଲର ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ହୁମ୍ମାରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବାବେଳେ ପୁରୁଷୋତ୍ତମପୁର ଏବଂ ହୁମ୍ମାରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ସହଯୋଗ କରୁଛନ୍ତି। ଖରିଫ ୠତୁରେ ଚାଷୀ ମାନେ ଏହି କେନାଲ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ। ଏହାକୁ ଅଧିକ କ୍ରିୟାଶୀଳ କରିବା ଲାଗି ପୁରୁଷୋତ୍ତମପୁର କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନ ୩ ହଜାର ୪୯୩ ହେକ୍ଟର ଚାଷ ଜମିର ଚାଷୀ ମାନଙ୍କୁ ନେଇ ୭ଟି ପାଣି ପଞ୍ଚାୟତ ଏବଂ ହୁମ୍ମା କନିଷ୍ଠ କାର୍ଯ୍ୟାଳୟ ଅଧୀନ ୩ହଜାର ୨୬୭ ହେକ୍ଟର ଜମିର ଚାଷୀଙ୍କୁ ନେଇ ୬ଟି ପାଣି ପଞ୍ଚାୟତ କମିଟି ଗଠନ କରାଗଲା। ମୋଟ ୧୩ଟି ପାଣି ପଞ୍ଚାୟତକୁ ନେଇ ପୁରୁଷୋତ୍ତମପୁରରେ ଶୀର୍ଷ କମିଟି ଗଠନ ହୋଇ ଥିଲା। ଉକ୍ତ ଶୀର୍ଷ କମିିଟି ଓ ପାଣି ପଞ୍ଚାୟତ ହାତରେ ହୀରାଧରବାଟି କେନାଲରୁ ପ୍ରବାହିତ ହେଉଥିବା ଶାଖା କେନାଲର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଶାଖା କେନାଲ ମାଧ୍ୟମରେ ଉପରମୁଣ୍ଡରୁ ଶେଷ ପର୍ଯ୍ୟନ୍ତ ଚାଷ ଜମିକୁ ଯେଭଳି ସମାନ ଭାବେ ଜଳ ଆବଣ୍ଟନ ହୋଇପାରିବ ଏହି ଗୁରୁଦାୟିତ୍ୱ ୧୩ଟି ପାଣି ପଞ୍ଚାୟତକୁ ନ୍ୟସ୍ତ କରାଯାଇଥିଲା। ଏହା ପରେ ୧୩ଟି ପାଣି ପଞ୍ଚାୟତ କମିିଟିର କର୍ମକର୍ତା ଚୟନ କରାଯାଇ କମିଟିର କାର୍ଯ୍ୟକାଳ ୩ ବର୍ଷ ପାଇର୍ ଧାର୍ଯ୍ୟ ହୋଇଥିଲା। ସେହି ଅନୁସାରେ ସାମଗ୍ରିକ ଭାବେ ୧୩ଟି ପାଣି ପଞ୍ଚାୟତ କମିଟିକୁ ନେଇ ପୁରୁଷୋତ୍ତମପୁର ଶୀର୍ଷ କମିଟି ବି ଗଠନ ହୋଇଥିଲା। ୨୦୦୬ ମସିହାରେ ପ୍ରଥମ ପାଣି ପଞ୍ଚାୟତ କମିଟି ଗଠନ ହୋଇ ଏହାର ଠିକ୍ ୩ ବର୍ଷ ପରେ ୨୦୦୯ ମସିହାରେ ପୁଣି କର୍ମକର୍ତା ଚୟନ ଏବଂ ନୂଆ କମିଟି ମଧ୍ୟ ଗଠନ ହେଲା। କିନ୍ତୁ ୨୦୦୯ ପରଠୁ ୧୩ଟି ପାଣି ପଞ୍ଚାୟତ ଓ ଶୀର୍ଷ କମିଟି ଗଠନ ହୋଇପାରିନି। କର୍ମକର୍ତା ଚୟନ ହୋଇପାରୁ ନାହାନ୍ତି। କେନାଳରେ ପାଣି ଆସିବା ପୂର୍ବରୁ ପାଣି ପଞ୍ଚାୟତ ଅଧୀନରେ ଥିବା ଶାଖା କେନାଳର ରକ୍ଷଣାବେକ୍ଷଣ ପାଇଁ ସରକାରୀ ଅନୁଦାନ ଆସୁଛି। କିନ୍ତୁ ଅନୁଦାନ ତା’ ବାଟରେ ଖର୍ଚ୍ଚ ହେଉଥିବା ହୀରାଧରବାଟି କେନାଳର ରକ୍ଷଣାବେକ୍ଷଣ ଏବଂ ଶାଖା କେନାଳର ମରାମତି ହୋଇପାରୁନି।ସେହିପରି ଏହାର ସଫେଇ ପାଇଁ ବି ଜଳସେଚନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି।
ଚଳିତବର୍ଷ ଜୁଲାଇ ୧୫ ତାରିଖରେ କେନାଲରେ ପ୍ରଥମ ପାଣି ଛାଡ଼ି ପାଇଁ ବିଭାଗ କୁଆଡ଼େ ସ୍ଥିର କରିଥିବା ଜଣାପଡ଼ିଛି। ପାଣି ପଞ୍ଚାୟତ ଓ ଶୀର୍ଷ କମିଟିକୁ କ୍ରିୟାଶୀଳ କରିବା ଦିଗରେ ବିଭାଗ ପଛଘୁଞ୍ଚା ଦେଉଥିବାରୁ ସବୁ ସମସ୍ୟା ଉପୁଜୁଥିବ ଦେଖିବାକୁ ମିଳିଛି।