ପୋଲସରା ବାଳିକା ଗଣଦୁଷ୍କର୍ମ ମାମଲା:ଘଟଣାସ୍ଥଳକୁ ରାଜନେତାଙ୍କ ସୁଅ

ପୋଲସରା/କଳମ୍ବ : ପୋଲସରା ବ୍ଲକର ଶ୍ରେଷ୍ଠ ପଞ୍ଚାୟତ ଭାବେ ବିବେଚିତ ହୋଇଥିବା ଓ ବିଧାୟକଙ୍କ ନିଜ ପଞ୍ଚାୟତ ହାତିଓଟର ଏକ ଗାଁରେ ୩୧ ତାରିଖ ବିଳମ୍ବିତ ରାତିରେ ଜଣେ ୮ ବର୍ଷର ବାଳିକାଙ୍କୁ ଘରୁ ଟେକିନେଇ ଗଣଦୁଷ୍କର୍ମ ଘଟଣାକୁ ନେଇ ପୁଲିସ୍‌ ଇଞ୍ଚେ ବି ଆଗକୁ ବଢ଼ିନାହିଁ। କିନ୍ତୁ ସେହି ସ୍ଥାନକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୃଙ୍କ ସୁଅ ଛୁଟିବାରେ ଲାଗିଛି।
ଆଜି ସକାଳେ ବିଜେଡିର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ ନିଜର କିଛି ସମର୍ଥକଙ୍କୁ ନେଇ ଉକ୍ତ ଗାଁରେ ପହଞ୍ଚି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ତ ଧରିବା ପାଇଁ ଦାବି କରିଛନ୍ତି। ସେହିଭଳି ଆଜି ବିଜେପିର ନେତା ଗୋଲଖ ମହାପାତ୍ରଙ୍କ ନେତୃତ୍ବରେ ପ୍ରତାପ ଚନ୍ଦ୍ର ନାୟକ, ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନା, ବୁଗୁଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲା ସମ୍ପାଦକ ଦୀନବନ୍ଧୁ ସାହୁ, ସୂର୍ଯ୍ୟନାରାୟଣ ଦାଶ, ମଣ୍ତଳ ସଭାପତି ସୁରେନ୍ଦ୍ର ସାହୁ, କୁମୁଦ ଚନ୍ଦ୍ର ସାହୁ, ନାରାୟଣ ସାହୁ, ନଗର ଯୁବମୋର୍ଚ୍ଚା ସଭାପତି ସୀମାଞ୍ଚଳ ସାହୁ ପ୍ରମୁଖ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଗତକାଲି ବିଜେପିର ମହେଶ ମହାନ୍ତି ଜୟନ୍ତୀ ପଢ଼ିହାରୀ ପ୍ରମୁଖ ଆସି ପୀଡ଼ିତାଙ୍କ ପରିବାରଙ୍କୁ ଭେଟିଥିଲେ। ଆଜି ବ୍ରହ୍ମପୁର ମେଡିକାଲ୍‌ରେ କ˚ଗ୍ରେସର କାର୍ଯ୍ୟକାରୀ ସମ୍ପାଦକ ଦୀପକ ପଟ୍ଟନାୟକ, ସଭାପତି ତ୍ରିନାଥ ବେହେରା ପ୍ରମୁଖ ପୀଡ଼ିତା ଓ ତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ରାଜନେତାଙ୍କ ବ୍ୟତୀତ ସମାଜସେବୀ ପ୍ରଭାକର ପଣ୍ତା, ଆରତୀ ଦେବୀ ପ୍ରମୁଖ ପୀଡ଼ିତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭେଟିଛନ୍ତି।
ଅପରପକ୍ଷରେ ପୋଲସରା ନାଗରିକ ମଞ୍ଚର ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ସମ୍ପାଦକ ମାସନ ରଞ୍ଜନ ତ୍ରିପାଠୀ, ସୀମାଞ୍ଚଳ ରାଉତ ପ୍ରମୁଖ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟି ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଏକ ସ୍ମାରକପତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର