କର୍କଟ ଯନ୍ତ୍ରଣା : ରୋଗିଣୀ ମା’କୁ ପୁଅର ହତ୍ୟା

ଗଂଜାମ : ଚିକିତ୍ସାରେ ଅର୍ଥ ସାଜିଲା ବାଧକ। ଆଉ କର୍କଟଆକ୍ରାନ୍ତ ମା’ର ଯନ୍ତ୍ରଣା ଦେଖିବା ଅସହ୍ୟ ହେବାରୁ ଶେଷରେ କୁରାଢିରେ ହାଣି ହତ୍ୟା କଲା ପୁଅ। ଗଂଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ସନ୍ତୋଷପୁର ଗ୍ରାମ ଦଳିତ ସାହିରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିପକାଇଛି।

ମିଳିଥିବା ସୂଚନାନୁସାରେ, ଦଳିତ ସାହିରେ ଝାମ୍ପି ଦାଶ (୬୦) ଓ ତାଙ୍କ ପୁଅ ବିକ୍ରମ ରୁହନ୍ତି। ବିକ୍ରମଙ୍କ ପତ୍ନୀ ୬ ମାସ ହେବ ବାପଘରକୁ ପଳାଇଛନ୍ତି। ଘରେ ମା’, ପୁଅ ରହୁଥିବାବେଳେ ମା’ ଝାମ୍ପି ମୁଖଗହ୍ଵର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବିକ୍ରମ ମା’ଙ୍କୁ ବ୍ରହ୍ମପୁର ଓ କଟକ ବଡ଼ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ। ଏଥିପାଇଁ ସେ ବିଭିନ୍ନ ଲୋକଙ୍କଠୁ ଧାରଉଧାର କରିଥିଲେ। କିନ୍ତୁ ଝାମ୍ପିଙ୍କ ଅବସ୍ଥାରେ କୌଣସି ଉନ୍ନତି ନହେବାରୁ ସେ ଭାଙ୍ଗି ପଡ଼ିଥିଲେ। ସେପଟେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼କୁ ନେଇ ସେ ଚିନ୍ତାରେ ପଡ଼ିଥିବାବେଳେ ଝାମ୍ପିଙ୍କ ଯନ୍ତ୍ରଣା ଦିନକୁଦିନ ବଢିଚାଲିଥିଲା। ସେ ଖାଇପାରୁ ନଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହା ଦେଖି ବିକ୍ରମ ମାନସିକସ୍ତରରେ ଭାଙ୍ଗି ପଡ଼ିବା ସହ ମା’ର ଯନ୍ତ୍ରଣା ତାଙ୍କୁ ବ୍ୟଥିତ କରିଥିଲା।

ଗତକାଲି ସମସ୍ତ ହିତାହିତ ଜ୍ଞାନ ଭୁଲି ବିକ୍ରମ ଏକ କୁରାଢିରେ ଝାମ୍ପିଙ୍କୁ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଗ୍ରାମବାସୀଙ୍କ ନିକଟରେ ଏକଥା ସ୍ୱୀକାର କରିବା ସହିତ ଶବକୁ ଏକ ଅଖାରେ ବାନ୍ଧି ଶ୍ମଶାନରେ ପୋତି ଦେଇଥିଲେ। ପ୍ରଥମେ ଦୋ’ଦୋ’ପାଞ୍ଚରେ ଥିବା ଗାଁଲୋକ ପରେ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ବିକ୍ରମଙ୍କୁ ଗିରଫ କରିବା ସହିତ ମଶାଣିରୁ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମା’ର କଷ୍ଟ ଦେଖି ନପାରି ସେ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା କଥା ଅଭିଯୁକ୍ତ ବିକ୍ରମ ପୁଲିସ ଆଗରେ ସ୍ୱୀକାର କରିଥିବା ଥାନା ଅଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର