ପିତୃହତ୍ୟାର ପ୍ରତିଶୋଧରୁ ହତ୍ୟା

ସୋରଡ଼ା : ପୂର୍ବଶତ୍ରୁତା ସହ ବାପାଙ୍କୁ ହତ୍ୟାର ପ୍ରତିଶୋଧ ନେଇଛି ପୁଅ। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ସରାବାଡ଼ି ଗ୍ରାମ ନିକଟ ଯୋଡ଼ାବନ୍ଧ ଛକରେ ରୋହିତ ଗୁରୁ (୩୫) ନାମକ ଜଣେ ଯୁବକଙ୍କୁ ଗୋପାଳ ଗୁରୁ ଓ ତାଙ୍କର ୫ରୁ ୬ଜଣ ସହଯୋଗୀ ସଂଘବଦ୍ଧ ଆକ୍ରମଣ କରି ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସାଇକେଲରେ ରୋହିତ ସୋରଡ଼ାରୁ ଫେରୁଥିବା ବେଳେ ତାଙ୍କୁ ଗୋପାଳ ଓ ସହଯୋଗୀ ମାନେ ଅଟକାଇ ଲୁହାରଡ୍‌ରେ ଆକ୍ରମଣ କରିଥିଲେ। ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରୋହିତଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଓ ଅପରାଧୀଙ୍କୁ ଧରିବାକୁ ପୁଲିସ ବିଭିନ୍ନ ଜାଗାରେ ଚଢଉ ଜାରି ରଖିଛି।

ଗତ ମାସ ୨୫ ତାରିଖରେ ବନ ସୁରକ୍ଷା ସମିତିର ବୈଠକରେ ଟଙ୍କା ପଇସା ହିସାବ ମାଗିବାରୁ ସରାବାଡ଼ି ଗ୍ରାମରେ ଶଙ୍କର ଗୁରୁ (୫୮) ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ୪ଜଣ ଗିରଫ ମଧ୍ୟ ହୋଇଥିଲେ। ହେଲେ ପ୍ରତିଶୋଧ ନେବାକୁ ମୃତ ଶଙ୍କରଙ୍କ ମଝିଆ ପୁଅ ଗୋପାଳ ପଣ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ସମର୍ଥକ ବୋଲାଉଥିବା ରୋହିତଙ୍କ ସହ ବି ତାଙ୍କର ବିବାଦ ଲାଗି ରହିଥିଲା। ଆଜି ସୁଯୋଗ ଦେଖି ରୋହିତଙ୍କୁ ନିଜ ସହଯୋଗୀଙ୍କ ସହ ମିଶି ସେ ହତ୍ୟା କରିଥିବା ଜଣାପଡ଼ିଛି।

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ରୋହିତ ସାଇକେଲ ଯୋଗେ ସୋରଡ଼ା ଯାଇ ସରାବାଡ଼ି ଫେରୁଥିଲେ। ଏହି ସମୟରେ ସୋରଡ଼-ବଡ଼ଗଡ଼ ରାସ୍ତା ଯୋଡ଼ାବନ୍ଧ ନିକଟରେ ଗୋପାଳଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ରୋହିତ ତାତ୍ସଲ୍ୟ କରି ଗୋପାଳଙ୍କୁ କହିଥିଲେ, ବାପା ଭଳି ତତେ ବି ହତ୍ୟା କରିଦେବୁ। ଏଥିରେ ଗୋପାଳ ଓ ତାଙ୍କ ସହଯୋଗୀ ମାନେ ଉତ୍ତ୍ୟକ୍ତ ହୋଇ ଲୁହାରଡ୍‌ ଓ ମାରଣାସ୍ତ୍ରରେ ରୋହିତଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ମୁଣ୍ଡକୁ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରାଧୀଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ବର୍ତମାନ ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇନି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ସେହିପରି ରୋହିତ ଗ୍ରାମରେ ଲୋକଙ୍କୁ ହଇରାଣ ହରକତ କରୁଥିଲେ। । ବଡ଼ଗଡ଼ ଥାନାରେ ତାଙ୍କ ନାମରେ କିଛି ମାମଲା ବି ରୁଜୁ ହୋଇଛି।

ସମ୍ବନ୍ଧିତ ଖବର