ବର୍ଷା ଖାଇଲା ଫସଲ

ବ୍ରହ୍ମପୁର/ଛତ୍ରପୁର/ଭଞ୍ଜନଗର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଂଜାମ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। କଟା ହୋଇଥିବା ଧାନ ଖଳାକୁ ଆଣି ପାରିନାହିଁ ଚାଷୀ। ପୂର୍ବରୁ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଚକଡ଼ା, ମାଟିଆଗୁଣ୍ଡି ପୋକ ଲାଗି ଖରିଫ୍‌ ଧାନ ଫସଲ ନଷ୍ଟ କରିଥିଲେ। ଏବେ ଆସିଥିବା ଲଘୁଚାପ ବର୍ଷା ଯୋଗୁଁ ଧାନ ଗଛ ଜମିରେ ଶୋଇପଡ଼ିଛି। ଯେଉଁ କିଛି ଜମିରେ ଗଛ ଶୋଇନାହିଁ, ସେଠାରେ ଅଗାଡ଼ି ହେବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ଜିଲ୍ଲା କୃଷି ଉପନିର୍ଦେଶକ ମନୋଜ ବେହେରା କହିଛନ୍ତି।

ଗଂଜାମ ଜିଲ୍ଲାରେ ୨ ଲକ୍ଷ ୧୪ ହଜାର ୯୪୧ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା। ସେଥିରୁ ମାତ୍ର ୧୫ ପ୍ରତିଶତ ଅର୍ଥାତ ପ୍ରାୟ ୩୦ହଜାର ହେକ୍ଟର ଜମିରେ ଧାନ କଟା ସରିଛି। ଏ ମଧ୍ୟରୁ ପ୍ରାୟ୧୦ ପ୍ରତିଶତରୁ କମ୍‌ କଟା ଧାନ ଖଳାକୁ ସ୍ଥାନାନ୍ତର କରିପାରିଛନ୍ତି ଚାଷୀ। ଅବଶିଷ୍ଟ ଧାନ ଫସଲ ମଧ୍ୟରୁ ଶତକଡା ୩୦ର ୪୦ ପ୍ରତିଶତ ଧାନ କାଟିବା ଯୋଗ୍ୟ ହୋଇସାରିଛି। ତେବେ ପାଚିଲା ତଥା କାଟିବାଯୋଗ୍ୟ ଧାନ ବର୍ଷାରେ ଅଧିକ ପ୍ରଭାବିତ ହେବ ବୋଲି କୃଷି ବିଭାଗ କହିଛି। କିଛି ସ୍ଥାନରେ ସ୍ଥାନାନ୍ତର ହୋଇ ନପାରିଥିବା ଧାନକୁ କୁପା କରି ଜମିରେ କିମ୍ବା ଜମି ପାର୍ଶ୍ୱରେ ଚାଷୀ ରଖିଛି। ଏହି ଦୁଇ ଚାରି ଦିନ ମଧ୍ୟରେ କଟା ଯାଇଥିବା ଧାନକୁ ଜମିରେ ଶୁଖିବା ପାଇଁ ଛାଡ଼ି ଦେଇଥିଲେ ଚାଷୀ। ହେଲେ ଗତକାଲିଠାରୁ ୩୦ ଘଣ୍ଟା ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଏସବୁ ଏବେ ପାଣିରେ ଭିଜିଗଲାଣି। ଏଠାରେ ବି ଧାନ କେଣ୍ଡାର ତଳ ଏବଂ ଉପର କେଣ୍ଡାର ଧାନ ଓଦା ହୋଇ ନଷ୍ଟ ହେବା ସମ୍ଭାବନାକୁ ଏଡାଇ ଦେଇ ହେବନି ବୋଲି ଜିଲ୍ଲା କୃଷି ଉପନିର୍ଦେଶକ କହିଛନ୍ତି।

ବର୍ଷା ଲାଗିରହିଲେ ଗଂଜାମ ଜିଲ୍ଲାରେ ପ୍ରାୟ ଦୁଇଲକ୍ଷ ହେକ୍ଟର ଧାନ ଫସଲ ନଷ୍ଟ ହେବ ବୋଲି ହିସାବ କରାଯାଉଛି।

୨.୧୪ ଲକ୍ଷରୁ ମାତ୍ର ୪୪ ହଜାର ହେକ୍ଟର ବୀମାଭୁକ୍ତ

କେତେ ପରିମାଣର ପସଲ ନଷ୍ଟ ହୋଇଛି ତାହାର ଆକଳନ କରିବା ପାଇଁ ଗଂଜାମ ଜିଲ୍ଲା କୃଷି ଉପନିର୍ଦେଶକ ଜିଲ୍ଲାରେ ଥିବା ୬ଟି ଜିଲ୍ଲା କୃଷି ଅଧିକାରୀଙ୍କୁ ଚିଠି କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ, କେବଳ ୪୪ ହଜାର ହେକ୍ଟର ଜମିର ୧ଲକ୍ଷ ୮୮ହଜାର ଚାଷୀଙ୍କର ହିଁ ବୀମା କରା ଯାଇଥିବା ସୂଚନା ମିଳିଛି। ବଳକା ଜମିର ବୀମା ହୋଇନଥିବାରୁ କ୍ଷୟକ୍ଷତି ହେଲେ ବୀମା କଂପାନୀ ଦେବନି। ଚାଷୀଙ୍କ ପାଇଁ ଏହା ବଡ ଧରଣର ଝଟକା। ଯେଉଁ ପରିମାଣର ଚାଷୀଙ୍କର ଏହି ବର୍ଷ କ୍ଷତି ହୋଇଛି ତାହାକୁ କିଭଳି ଚାଷୀ ମାନେ ଭରଣା କରି ବ୍ୟାଙ୍କ ଋଣ, ମହାଜନି ଋଣ ସୁଝିବେ ଚିନ୍ତାରେ ପଡିଲେଣି। ସୁରତ ଯାଇ ୧୦ବର୍ଷ ଧରି କାମ କରି ଯାହା ମିଳିଥିଲା ତାହାକୁ ଜମିରେ ଲଗାଇ ଗୋଟିଏ ବର୍ଷରେ ସବୁ ବରବାଦ୍‌ ହୋଇଗଲା ବୋଲି ଚାଷୀ ହରି ଗୌଡ କହିଛନ୍ତି।

ବଢ଼ାଉଛି ଚାଷୀଙ୍କ ଚିନ୍ତା : କ୍ଷେତରେ ଶୋଇଲା ଧାନ,

କୋବିରେ ପୋକ ଆଶଙ୍କା

କଟକ : ରୋଗପୋକ ପରେ ଏବେ ବର୍ଷା ଚିନ୍ତାରେ ଚାଷୀ। ବର୍ଷା ଯୋଗୁଁ ବିଲରେ ପାଣି ଜମିବା ସହିତ ପବନ ମାନରେ ଜିଲ୍ଲାର ଅନେକ ଜମିରେ ଧାନ ଗଛ ଶୋଇ ଯାଇଛି। ତା’ସହିତ ପୁରୀ ମୁଖ୍ୟକେନାଲର ପାଣି ବନ୍ଦ ହୋଇନଥିବାରୁ ବାଲିଅନ୍ତା, ଦାଢାପାଟଣା ସମେତ ବାରଙ୍ଗ ବ୍ଲକ୍‌ର ବିଭିନ୍ନ ଖାଲୁଆ ଜମିରେ ବର୍ଷା ଓ ପବନ ମାଡରେ ପାଚିଲା ଧାନ କ୍ଷେତରେ ଶୋଇପଡିଛିି। ସତର୍କ ସୂଚନା ପରେ ବାଙ୍କୀ, ଡମପଡା, ନେମାଳ ତଥା ବିଭିନ୍ନ ଅଞ୍ଚଳରେ ଚାଷୀ ଆଗୁଆ ମେସିନ ଲଗାଇ ଜମିରୁ ପୋକରା, ପାଚିଲା, କଞ୍ଚା ଧାନକୁ ବି କାଟି ଘରକୁ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବର୍ଷା ଯଦି ଆଉ କିଛି ଦିନ ଲାଗି ରୁହେ ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋବି ଓ ପନିପରିବା ଚାଷ ଉଜୁଡି ଯିବା ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲାର ବାଙ୍କୀ, ଆଠଗଡ ଅଞ୍ଚଳରେ ପରିବା ଚାଷ ପାଇଁ ଚାଷୀ ତଳି ପକାଇଥିବାବେଳେ ବର୍ତ୍ତମାନ ଏଭଳି ବର୍ଷା ଲାଗିରହିଲେ ତଳି ନଷ୍ଟ ହେବାର ଆଶଙ୍କାରେ ପଡିଛନ୍ତି ଚାଷୀ।

ବର୍ଷା ଯୋଗୁଁ କ୍ଷେତରେ ଅମଳ ଅବସ୍ଥାରେ ଥିବା ଧାନ ସବୁ ପାଣିରେ ପଡ଼ି ଗଜା ହୋଇ ନଷ୍ଟ ହେବା ଆଶଙ୍କା କରାଯାଉଛି। ପବନ ମାଡ଼ରେ ଧାନ କଣ୍ଠା ଓ ଅଗାଡ଼ିି ହେବାର ଆଶଙ୍କା ଉପୁଜିଛି। ଧାର କରଜ କରି ଚାଷ କରିଥିବା ଚାଷୀ ଏଭଳି ପାଣିପାଗକୁ ଦେଖି ମୁଣ୍ଡରେ ହାତ ଦେଇବସିଛି। ଆଠଗଡ, ବାଙ୍କୀ ଅଞ୍ଚଳରେ ସହଳ ଧାନ ଅମଳ ହେଉଥିବାବେଳେ ବର୍ଷାକୁ ଦେଖି ନଷ୍ଟ ଆଶଙ୍କାରେ ମେସିନ ଲଗାଇ ଚାଷୀ ଧାନ କାଟିଦେଇଥିବା ଜଣାପଡିଛି। ନେମାଳ ଅଞ୍ଚଳରେ ଏକର ଏକର କୋବି ଚାଷ ବର୍ଷା ଯୋଗୁଁ ନଷ୍ଟ ହୋଇଯିବା ଆଶଙ୍କା ଉପୁଜିଛି। ତେବେ କୃଷି ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରେ ଡିସେମ୍ବର ମାସରେ ଧାନ ଫସଲ ଅମଳ ହୋଇଥାଏ। ତେଣୁ ବର୍ତ୍ତମାନର ବର୍ଷା ସେଭଳି ବିଶେଷ କ୍ଷୟକ୍ଷତି କରିବାର ଆଶଙ୍କା ନାହିଁ। କିନ୍ତୁ ଲଗାଣ ବର୍ଷା ଓ ପବନ ଜାରି ରହିଲେ ଚାଷୀଙ୍କ ପାଇଁ ବିପଦ ବୋଲି ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି। କେବଳ ଧାନ ନୁହେଁ କୋବି, ବିଲାତି, ବାଇଗଣ, ବିନ୍‌, ମୂଳା ଓ କୋଶଳା ଶାଗ ଗଛ ସବୁ ପାଣି ଲାଗି ଷଢିଯିବାର ଆଶଙ୍କା ଦେଖାଦେଇଛି। ଫୁଲ ଧରିଥିବା କୋବି କିଆରିରେ ପୋକ ଲାଗିବାର ଆଶଙ୍କା କରାଯାଉଛି। ପୁରୀ ମୁଖ୍ୟ କେନାଲରୁ ଜଳ ପ୍ରବାହ କମିନଥିବାରୁ ଅନେକ କ୍ଷେତରେ ପାଚିଲା ଧାନ ସବୁ ପାଣିରେ ଭାସୁଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଚାଷୀମାନେ ଅଯଥା ଆତଙ୍କିତ ନହୋଇ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଜିଲ୍ଲା କୃଷି ଅଧିକାରୀ ପରେଶ ଚନ୍ଦ୍ର ସାହୁୁ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର