ବନ୍ଧାହେଲେ ଆସିକା ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷ

ଭଂଜନଗର : ଗଂଜାମ ପୁଲିସ ଏନ୍‌କାଉଣ୍ଟରରେ ଆହତ ଝାଡ଼ଖଣ୍ଡର ମୋଷ୍ଟ ଓ୍ଵାଣ୍ଟେଡ୍‌ ଅପରାଧୀ ବବ୍‌ଲୁ ପାଶ୍ୱାନ୍‌କୁ ସୁପାରି ଦେଇଥିବା ଆସିକା ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ପୋଲାଇ ଆଜି ଗିରଫ ହୋଇଛନ୍ତି। ଯୁବ ବିଜେଡି ନେତା ତଥା ସଂପର୍କୀୟ ଭାଇ ପ୍ରତାପ ପୋଲାଇ ହତ୍ୟାର ପ୍ରତିଶୋଧ ନେବାକୁ ସୂର୍ଯ୍ୟ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ମୁଖ୍ୟ ଅଭିଯୁକ୍ତ ରବି ନାହାକକୁ ଆସିକା କୋର୍ଟ ପରିସରରେ ହତ୍ୟା କରିବାକୁ ସୂର୍ଯ୍ୟ ବବ୍‌ଲୁକୁ ସୁପାରି ଦେଇ ଥିଲେ। ଏଥିପାଇଁ ବବ୍‌ଲୁ ସହ ୧୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା।

ଖାଲି ଏତିକି ନୁହେଁ, ଯଦି ବବ୍‌ଲୁ ହତ୍ୟାକାଣ୍ଡ ଘଟାଇବା ପରେ ଧରା ପଡ଼େ ତେବେ ତାକୁ ସବୁ ପ୍ରକାର ଆର୍ଥିକ ସହଯୋଗ କରିବେ ବୋଲି ସୂର୍ଯ୍ୟ ତାକୁ ପ୍ରତିଶ୍ରୁତି ଦେବା ସହ କାର୍‌ରେ ଅପରାଧୀଙ୍କ ସହ ନିଜେ ବି ଆସିଥିଲେ। ଡିଲ୍‌ ଅନୁସାରେ ରବିକୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଝାଡ଼ଖଣ୍ଡ ପୁଲିସର ଗୁଇନ୍ଦା ସୂଚନା ରେ ସବୁ କିଛି ପଣ୍ଡ ହୋଇଯାଇଥିଲେ। ଆଉ ଠିକଣା ସମୟରେ ଗଂଜାମ ପୁଲିସର ଅପରେସନ୍‌ ଯୋଗୁଁ ବବ୍‌ଲୁ ଓ ତା’ର ସହଯୋଗୀ ଜିତେନ୍ଦ୍ର ଏନ୍‌କାଉଣ୍ଟରରେ ଆହତ ହୋଇଥିଲେ। ତେବେ ସୂର୍ଯ୍ୟ ଫେରାର୍‌ ହୋଇ ଯାଇଥିଲେ।

ଆଇ-୨୦ କାର୍‌ ଜବତ ହେବା ପରେ ସୂର୍ଯ୍ୟଙ୍କ ସଂପୃକ୍ତି ଖୋଲାଖୋଲି ସାମ୍ନାକୁ ଆସିଥିଲା। ମାତ୍ର ତିନି ଦିନରେ ଘଟଣାରୁ ସମସ୍ତ ରହସ୍ୟର ପର୍ଦ୍ଦା ଉଠିଯାଇଥିଲା। ଗତକାଲି ସଂଧ୍ୟାରେ ରାଉରକେଲା ଯିବାକୁ ସୂର୍ଯ୍ୟ ବାଉଁଶଲୁଣ୍‌ଡି ଛକରେ ସରକାରୀ ବସ୍‌ ପାଇଁ ଅପେକ୍ଷା କରିଥିବା ବେଳେ ପୁଲିସ ତାଙ୍କୁ କାବୁ କରି ନେଇଥିଲା। ଆଜି ସୂର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଭଂଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି । ସେପରି ଘଟଣା ଦିନ ଗାଲେରୀ ଠାରୁ ୪ କିମି ଦୂରରେ ଥିବା ଏକ ନିଛାଟିଆ ସ୍ଥାନରୁ ପଲସର୍‌ ବାଇ୍‌କ ଜବତ ହୋଇଛି। ଅଭିଯୁକ୍ତଙ୍କୁ ସହାୟତା କରିବାକୁ ଜଣେ ବ୍ୟକ୍ତି ଏହି ବାଇକ୍‌ ଦେଇଥିଲେ। ତେବେ ବାଇକ୍‌ଟି କାହା ନାମରେ ପଞ୍ଜୀକରଣ ହୋଇଛି ଏସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଗଂଜାମ ଆରଟିଓଙ୍କୁ ମଗାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର