ଆଇପିଏଲ୍‌ ବେଟିଂ ର‍୍ୟାକେଟ୍‌ରେ ବିଟେକ୍‌ ଛାତ୍ର : ୩ ମଧ୍ୟସ୍ଥି ଗିରଫ, ୭.୬୧ ଲକ୍ଷ ଜବତ

ବ୍ରହ୍ମପୁର : ବ୍ରହ୍ମପୁରରେ ଆଇପିଏଲ୍‌ କ୍ରିକେଟ୍‌ ବେଟିଂ ବେଧଡ଼କ ଆରମ୍ଭ ହୋଇଯାଇଛି। ଆଇପିଏଲ୍‌ ବେଟିଂ ର‍୍ୟାକେଟ୍‌ ପାଇଁ ମଧ୍ୟସ୍ଥି ସାଜିଥିବା ଅଭିଯୋଗରେ ବଡ଼ବଜାର ପୁଲିସ ଗତକାଲି ରାତିରେ ଫାଷ୍ଟଗେଟ୍‌ ଅଂଚଳରୁ ଜଣେ ବିଟେକ୍‌ ଛାତ୍ର ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଷାଣି ନୂଆଗାଁ ଥାନା ଶାସ୍ତ୍ରୀନଗର ଅଂଚଳର ବିଟେକ୍‌ ଛାତ୍ର ଦୀପକ୍‌ ସାମନ୍ତରାୟ(୨୦), ଗୋଳନ୍ଥରା ଥାନା ବ୍ରହ୍ମପୁର ଉପକଣ୍ଠ କନିଷି ହାଟ ଅଂଚଳର ଜିତେନ୍ଦ୍ର ନାହାକ(୩୧) ଓ ଦାସପୁର ଅଂଚଳର ପ୍ରଶାନ୍ତ ବେହେରା(୩୦)। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏ.ଦୀପୁ ଏବଂ ଜେ.ରମେଶ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିବା ପୁଲିସ କହିଛି। ଅଭିଯୁକ୍ତଙ୍କ ଠାରୁ ମୋଟ ୭ଲକ୍ଷ ୬୧ହଜାର ଟଙ୍କା, ତିନିଟି ନୋଟ୍‌ବୁକ୍‌, ଗୋଟିଏ କାଲ୍‌କୁଲେଟର୍‌ ଏବଂ ଏକାଧିକ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଏସ୍‌ପି ତ୍ରିନାଥ ପଟେଲ, ଏଏସ୍‌ପି ଶାନ୍ତନୁ ଦାଶ, ଏସ୍‌ଡିପିଓ ପ୍ରଭାତ ରାଉତରାୟଏହି ସୂଚନା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ସୋମନଙ୍କୁ କୋର୍ଟଚାଲାଣ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ରାଜ୍ୟ ବାହାରୁ ଅନ୍‌ଲାଇନ୍‌ରେ ଏହି ବେଟିଂ ଚାଲିଥିଲା। ଏଥିପାଇଁ ଏକ ସ୍ୱତନ୍ତ୍ର ‘ଆପ୍‌’ ପ୍ରସ୍ତୁତ ହୋଇଛି। ଏହି ‘ଆପ୍‌’କୁ ସ୍ମାର୍ଟ ଫୋନ୍‌ରେ ଡାଉନ୍‌ଲୋଡ଼ କରି ତା’ମାଧ୍ୟମରେ ବେଟିଂ ଚାଲୁଥିଲା। ମଧ୍ୟସ୍ଥିଙ୍କ ଦ୍ୱାରା ମୋବାଇଲ୍‌ ଫୋନରେ ଯୋଗାଯୋଗ ହୋଇ ଟଙ୍କା ନେଣଦେଣ ହେଉଥିଲା। ବ୍ରହ୍ମପୁର ଫାଷ୍ଟଗେଟ୍‌ ଅଂଚଳରେ ଏଭଳି ଆଇପିଏଲ୍‌ ବେଟିଂ କାରବାର ଚାଲିଥିବା ନେଇ ଖବର ପାଇ ବଡ଼ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଚଢ଼ାଉ କରିଥିଲା। ସେଠାରୁ ତିନି ଜଣ ମଧ୍ୟସ୍ଥିଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଖସି ପଳାଇଥିଲେ।

ସମ୍ବନ୍ଧିତ ଖବର