ଗଞ୍ଜାମରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନିଅାଁ-ପାଣି ବାସନ୍ଦ

ବ୍ରହ୍ମପୁର: ଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାର ଏକ ଗାଁରେ ଗୁରୁବାର ନିଅାଁ ଓ ପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଲାପଲ୍ଲୀରେ ଗୁରୁବାର ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ କମିଟିର ନିଷ୍ପତ୍ତିକୁ ନମାନିବାରୁ ଗାଁ ଲୋକେ ଏଭଳି ପଦକ୍ଷେପ ନେବାକୁ ଯାଇ ପୀଡ଼ିତାଙ୍କ ପରିବାରକୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଶିକୁଲାପଲ୍ଲୀ ଗାଁର ଶ୍ରୀକାନ୍ତ ପାତ୍ର ଗିରଫ ହୋଇଥିଲେ। ଗତ ଜାନୁଆରିରେ ସେ ଗିରଫ ହୋଇ ୫/୬ ଦିନ ତଳେ ସେ ଜାମିନରେ ଆସିଥିଲେ। ଏହା ପରେ ଶ୍ରୀକାନ୍ତ ନାବାଳିକାଙ୍କ ପରିବାରକୁ ୨୫,୦୦୦ ଟଙ୍କା ଦେଇ ମାମଲାକୁ ବନ୍ଦ କରିଦେବାକୁ କହିଥିଲେ। ପରେ ଗାଁ କମିଟିର ବୈଠକ ବସିଥିଲା। କିନ୍ତୁ ଗାଁ ଲୋକଙ୍କ ପ୍ରସ୍ତାବରେ ପୀଡ଼ିତ ପରିବାର ରାଜି ହୋଇ ନଥିଲେ।

ଗାଁ ଲୋକଙ୍କୁ ନ ପଚାରି ଥାନାରେ ଅଭିଯୋଗ କରିଥିବାରୁ ପୀଡ଼ିତା ପରିବାରକୁ ୫୦୦୦ ଟଙ୍କା ଜରିମାନା କରାଯାଇଥିଲା। ପୀଡ଼ିତା ପରିବାର ଏଥିରେ ସହମତି ନଦେବାରୁ ଗାଁ ଲୋକେ ଶେଷରେ ଅନ୍ୟ ଉପାୟ ନପାଇ ନିଅାଁ ଓ ପାଣି ବାସନ୍ଦ କରିଛନ୍ତି। ଏହା ପରେ ପୀଡ଼ିତାଙ୍କ ପରିବାର ଲୋକେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର