ବ୍ରହ୍ମପୁର : ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ

କୁକୁଡ଼ାଖଣ୍ଡି/ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ମଶାଣିପଦର ସାହିରେ ଅନୈତିକ ସମ୍ପର୍କରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକ ସହିତ ମିଶି ଜଣେ ମହିଳା ତାର ସ୍ବାମୀକୁ ହତ୍ୟା କରିଛି। ଏହି ଘଟଣାରେ ସଦର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତ ଯୁବକ ପ୍ରଫୁଲ୍ଲ ସାହୁ(୩୩)ଙ୍କ ପତ୍ନୀ ମିତା ସାହୁ ଓ ପ୍ରେମିକ ସରୋଜ ମହାରଣାକୁ ଥାନାରେ ଅଟକ ରଖିଛି ବୋଲି ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ମିସ୍ତ୍ରି ଭାବେ କାମ କରୁଥିବା ପ୍ରଫୁଲ୍ଲ ପତ୍ନୀ ମିତାଙ୍କ ସହ ମଶାଣିପଦରସାହିରେ ରହୁଥିଲେ। ତେବେ ଗତ ରାତିରେ ପ୍ରଫୁଲ୍ଲଙ୍କୁ ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରେ ପଡ଼ିଯିବା ଯୋଗୁଁ ସ୍ବାମୀଙ୍କ ମୁଣ୍ଡ ଫାଟି ଯାଇଥିବା ନେଇ ମିତା ପୁଲିସ ଆଗରେ କହିଥିଲେ। ଶବ ବ୍ୟବଚ୍ଛେଦ ବେଳେ ପ୍ରଫୁଲ୍ଲଙ୍କ ମୁଣ୍ଡକୁ କୌଣସି ଏକ ଓଜନିଆ ବସ୍ତୁରେ ଆଘାତ କରା ଯାଇଥିବା ଓ ଶ୍ବାସରୁଦ୍ଧ କରି ହତ୍ୟା କରା ଯାଇଥିବା ଜଣା ପଡ଼ିଥିଲା। ଅନ୍ୟପଟେ ପ୍ରଫୁଲ୍ଲଙ୍କ ସମ୍ପର୍କୀୟ ଭାଇ ମହେନ୍ଦ୍ର ସାହୁ ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି ପ୍ରଫୁଲ୍ଲଙ୍କ ପତ୍ନୀ ମିତା ଓ ପ୍ରେମିକ ସରୋଜକୁ ଥାନାରେ ଅଟକ ରଖିଛି। ଗତ କିଛି ମାସ ହେଲେ ମିତା ଓ ସରୋଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି କାରଣ ଯୋଗୁଁ ଉଭୟେ ମିଶି ପ୍ରଫୁଲ୍ଲଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର