ମଦ ବୋ‌େଝଇ ଟ୍ରକ୍ ଲୁଟ୍ ଘଟଣା:ରଂଜନ ଏସ୍‌ପିଙ୍କୁ ଭେଟି‌େଲ, ଥାନାରେ ଖୋଳତାଡ଼

0 230

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ବଡ଼ ଘାଟିରେ ଗତ ୪ତାରିଖ ରାତିରେ ଏକ ମଦ ବୋଝେଇ ଟ୍ରକ୍ ଲୁଟ୍ ଘଟଣାରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଟ୍ରକ୍ ମାଲିକ ଗଞ୍ଜାମ ଏସ୍‌ପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଏସ୍‌ପି ବ୍ରିଜେଶ ରୟଙ୍କ ନିର୍ଦ୍ଦେଶ କ୍ରମେ ଟ୍ରକ ମାଲିକ ରଂଜନ ନାହାକ ଓ ଅନ୍ୟମାନେ ଖଲ୍ଲିକୋଟ ଥାନାକୁ ଯାଇ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ରଂଜନଙ୍କ ଠାରୁ ପୁଲିସ ସମସ୍ତ ତଥ୍ୟ ସଂଗ୍ରହ କରିଛି। କେମିତି ଓ କେଉଁ ପରିସ୍ଥିତିରେ ଏମିତି ଘଟଣା ଘଟିଲା ସେ ନେଇ ପୁଲିସ ବୁଝିବା ପରେ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଆସନ୍ତା କାଲି ମାମଲା ରୁଜୁ ପରେ ବିଧିବଦ୍ଧ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ହଳଦିଆପଦରର ରଂଜନ ଗତ ୪ ତାରିଖ ସଂଧ୍ୟାରେ ହେଲପର୍ ସହିତ ତାଙ୍କର ଟ୍ରକ୍(ଓଆର୦୪ ଏଲ-୬୧୦୪)ରେ ଗୋପାଳପୁର ୟୁନାଇଟେଡ୍ ସ୍ପିଟିର୍ କାରଖାନାରୁ ମଦ ନେଇ କଟକ ନିର୍ଗୁଣ୍ଡି ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ୧୧ଟା ବେଳେ ସେମାନେ ଖଲ୍ଲିକୋଟ ବଡ଼ ଘାଟି ଦେଇ ଯାଉଥିବା ବେଳେ କିଛି ଲୋକ ଟ୍ରକ୍ ଲୁଟ୍ କରି ନେଇଥିଲେ। ଏହା ସହିତ ଦୁର୍ବୃତ୍ତମାନେ ଏକ ଇନୋଭା କାର୍‌ରେ ଡ୍ରାଇଭର୍ ଓ ହେଲପର୍‌ଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଉଭୟଙ୍କୁ ବାଲୁଗାଁ ଦେଇ ଜାତୀୟ ରାଜପଥରେ ବାଣପୁର ପର୍ଯ୍ୟନ୍ତ ନେଇଥିଲେ। ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ପୁଣିଥରେ ଉଭୟଙ୍କୁ ମାଡ଼ ମାରି ଲହୁଲୁହାଣ କରି ଛାଡ଼ି ଅପହରଣକାରୀ ଚମ୍ପଟ ମାରିଥିଲେ। ଗତକାଲି ସେମାନେ ସେଠାରୁ ଆସି ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ରଖି ନଥିଲା। ଆଜି ଏହି ଘଟଣା ଏସ୍‌ପିଙ୍କ ନିକଟରେ ପହଞ୍ଚି ପରେ ଖଲ୍ଲିକୋଟ ଥାନା ପୁଲିସ ଅଭିଯୋଗ ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.