ଯୁବ ବିଜେଡି ନେତା ହତ୍ୟା ମାମଲା: ବୋମା ବ୍ୟାଗ୍‌ ମିଳିଲା, ଯାଞ୍ଚ ହେବ ଭୋଜି ଭିଡିଓ କ୍ଲିପିଂ

ଭଂଜନଗର : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ମେଡିକାଲ ଛକରେ ଗତ ଶୁକ୍ରବାର ଅପରାହ୍ନରେ ଗାଙ୍ଗପୁରର ଯୁବ ବିଜେଡି ନେତା ତଥା ଠିକାଦାର ସନ୍ନ୍ୟାସୀ ବିଷୋୟୀଙ୍କୁ ନିର୍ମମ ହତ୍ୟା ଘଟଣା ଉପରୁ ଖୁବ୍‌ଶୀଘ୍ର ପରଦା ଉଠିବ। ଏଥିରେ ସଂପୃକ୍ତ ୪ ଅଭିଯୁକ୍ତ ଚିହ୍ନଟ ହୋଇସାରିଥିବା ବେଳେ କାହା ନିର୍ଦ୍ଦେଶରେ ସନ୍ନ୍ୟାସୀଙ୍କୁ ହତ୍ୟା ଯୋଜନା ହୋଇଥିଲା, ଏନେଇ ସମସ୍ତ ତଥ୍ୟ ହସ୍ତଗତ ହୋଇସାରିଛି ବୋଲି ଆସିକା ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା ଆଜି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ସ୍ୱତନ୍ତ୍ର ଟିମ୍‌ ପୁଣି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ଗାଙ୍ଗପୁର-ବଡ଼ଗଡ଼ ରାସ୍ତା ମଝିରେ ଏକ ସ୍ଥାନରୁ ବୋମା ଥିବା ବ୍ୟାଗ୍‌ ଜବତ ହୋଇଥିବା ଜଣାପଡ଼ିଛି। ଏଥିରୁ କିଛି ବୋମା ବି ମିଳିଛି। ଫଳରେ ଯୋଜନାବଦ୍ଧ ଭାବେ ସନ୍ନ୍ୟାସୀଙ୍କୁ ହତ୍ୟା କରାଯାଇଥିବା ତଦନ୍ତ ବେଳେ ସ୍ପଷ୍ଟ ପ୍ରମାଣିତ ହୋଇଛି। ବଡ଼ଭାଇଙ୍କ ବିବାହ ଭୋଜି ଥିବାରୁ ଅପରାଧୀ ମାନେ ସନ୍ନ୍ୟାସୀଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିଥିଲେ। ବଡ଼ଗଡ଼ ଆସିବା ପରେ ଅପରାଧୀମାନେ ତାଙ୍କ ପଛରେ ଆସି ହତ୍ୟା କରିଥିଲେ। ଏହାକୁ ଆଧାର କରି ସନ୍ନ୍ୟାସୀଙ୍କ ବଡ଼ଭାଇର ବିବାହ ଭୋଜିର କିଛି ଭିଡିଓ କ୍ଲିପିଂ ମଗାଯାଇଛି। ଯାହାକୁ ତଦନ୍ତ ପରିସରଭୁକ୍ତ କରାଯିବ। ଏହାସହ ସନ୍ନ୍ୟାସୀଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ ପାଇଁ ସମସ୍ତ ତଥ୍ୟ ମୋବାଇଲ୍‌ ଫୋନ୍‌ କଂପାନିକୁ ମଗାଯାଇଛି। ଏହା ଖୁବ୍‌ଶୀଘ୍ର ପୁଲିସକୁ ହସ୍ତଗତ ହେବ ବୋଲି ଏସ୍‌ଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସେହିପରି ହତ୍ୟା ଯୋଜନାରେ କିଛି ବଡ଼ବଡ଼ିଆ ଲୋକ ଓ ରାଜନେତାଙ୍କ ସଂପୃକ୍ତି ବି ସାମ୍ନାକୁ ଆସିଛି । ଏଥିପାଇଁ ପ୍ରମାଣ ଯୋଗାଡ଼ ଚାଲିଛି। ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛି।

ସମ୍ବନ୍ଧିତ ଖବର