ଯୁବକଙ୍କୁ ଗୁଳି କରି ହତ୍ୟା!

ରାତିରୁ ନିଖୋଜ ଥିଲେ, ନାଳ ହୁଡ଼ାରେ ଶବ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ଥାନା ଅର୍ନ୍ତଗତ ଡୁମାକୁମ୍ପା ପଂଚାୟତ ନୂଆପଲ୍ଲୀ ନାଳ ପାର୍ଶ୍ୱ ହୁଡ଼ାରୁ ଆଜି ଜଣେ ଯୁବକଙ୍କ ଗୁଳିବିଦ୍ଧ ଶବ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଉଛି। ମୃତ ଯୁବକ ଗତକାଲି ଠାରୁ ନିଖୋଜ ଥିବା ଡୁମାକୁମ୍ପା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମିଶ୍ର ଓରଫ ସିଲୁ(୨୦) ବୋଲି ଚିହ୍ନଟ କରାଯାଇଛି। ଖବର ପାଇ ଭଂଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ, ଭଂଜନଗର ଥାନା ଭାରପ୍ରାପ୍ତ ଡିଏସପି ଅଶ୍ୱିନୀ କୁମାର ସାହୁ, ଏସ୍‌ଆଇ ନିରଂଜନ ଦାସ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିଲୁଙ୍କ ପେଟରେ ଗୁଳି ଲାଗିବା ସହ ଅନ୍ତବୁଜୁଳା ବାହାରି ପଡ଼ିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଅପହରଣ ଓ ହତ୍ୟା ବୋଲି ସନ୍ଦେହ କରାଯାଉଛି। ତେବେ ସେ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା କିଏ ଗୁଳି ମାରିଥାଇପାରେ ସେ ନେଇ ସ୍ପଷ୍ଟ ହୋଇନି ବୋଲି ଡିଏସ୍‌ପି ଶ୍ରୀ ସାହୁ କହିଛନ୍ତି।

ପୁଲିସ ସୂଚନା ମୁତାବକ, ସିଲୁ ଗାଁକୁ ଗାଁ ବୁଲି ମିକ୍ସଚର ଆଦି ବିକ୍ରି କରୁଥିଲେ। ସବୁଦିନ ଭଳି ଗତକାଲି ସଂଧ୍ୟା ସାଢ଼େ ୭ଟା ବେଳେ ଘରୁ ବାହାରିଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଗାଁରେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳୁ ନୂଆପଲ୍ଲୀ ନାଳ ହୁଡ଼ା ପାର୍ଶ୍ୱରେ ତାଙ୍କ ଗୁଳିବିଦ୍ଧ ମୃତ ଶରୀର ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଶବ ନିକଟରେ ଏକ ବାରୁଦ ଟେସା ବନ୍ଧୁକ ପଡିଥିଲା। ଏନେଇ ଭଂଜନଗର ଥାନାରେ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ତଦନ୍ତ ଜାରୀ ରହିଥିବା ଏବଂ ବ୍ୟବଚ୍ଛେଦ ପାଇଁ ଭଂଜନଗର ଡାକ୍ତରଖାନାକୁ ଶବ ପଠା ଯାଇଥିବା ଡିଏସପି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର