ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ଚିରିକିପଡ଼ାଶାସନ ପଂଚାୟତର ନରସିଂହପଲ୍ଲୀ ଛକ ଓ ଦଶମଇଲ ଛକ ମଧ୍ୟସ୍ଥ କେନାଲ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣକୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟ ଖଜୁରିଆପଡ଼ା ଗ୍ରାମର ଶେଖ୍ ଇମ୍ତିଆଜ୍ ଖାନ୍ (୩୫)। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ପ୍ରକାଶଯେ, ଖଜୁରିଆପଡ଼ା ଗ୍ରାମର ଶେଖ୍ ଇମ୍ତିଆଜ୍ ନରସିଂହପଲ୍ଲୀର ବନିତା ନାୟକଙ୍କୁ ଗତ ୧୦ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୭ ବର୍ଷର ଏକ ପୁଅ ଅଛି। ସେ ଡ୍ରାଇଭର୍ ଭାବେ ନିକଟସ୍ଥ ବି.ନୂଆପଲ୍ଲୀ ଗ୍ରାମର ଜଣେ ଟ୍ରାକ୍ଟର ମାଲିକଙ୍କ ନିକଟରେ କାମ କରୁଥିଲେ। ପୂର୍ବରୁ ଉକ୍ତ ଟ୍ରାକ୍ଟର୍ ମାଲିକଙ୍କ ନିକଟରେ ଡ୍ରାଇଭର୍ ଭାବେ ସନ୍ତୋଷ ନାହାକ (୫୫) କାମ କରୁଥିଲେ। ଶେଖ୍ ଇମ୍ତିଆଜ୍ ଟ୍ରାକ୍ଟର ଚାଳକ ଭାବେ କାମରେ ଯୋଗ ଦେବା ଦିନ ଠାରୁ ସନ୍ତୋଷ ଓ ତାଙ୍କ ମଧ୍ୟରେ କହଳ ଲାଗି ରହିଥିଲା। ଶେଖ୍ ଇମ୍ତିଆଜ୍ଙ୍କୁ ରାସ୍ତାରୁ ହଟାଇବା ପାଇଁ ସନ୍ତୋଷ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା। ଗତକାଲି ରାତିରେ ଦଶମଇଲ ଛକ ସ୍ଥିତ ଏକ ପାନ ଦୋକାନରୁ ଶେଖ୍ ଇମ୍ତିଆଜ୍ ଫେରିବା ବାଟରେ ସନ୍ତୋଷ ଓ ଅନ୍ୟ ଦୁଇରୁ ତିନି ଜଣ ସହଯୋଗୀ କାଠ ଫାଳିଆରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ନିର୍ମମ ଭାବେ ପିଟି ପିଟି ମରି ଯାଇଥିବା ଭାବି ଛାଡ଼ି ଚାଲି ଯାଇଥିଲେ। ପରିବାର ଲୋକେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଶେଖ୍ ଇମ୍ତିଆଜ୍ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ମୃତ ଶେଖ୍ ଇମ୍ତିଆଜ୍ଙ୍କ ପତ୍ନୀ ବନିତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲସରା ଥାନା ଭାରପ୍ରାପ୍ତ ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/group-clash-ff.jpg)