ଯାଜପୁର: ବୁଦା ଭିତରୁ ଗୁରୁତର ଅବସ୍ଥାରେ ପୁଣି ଏକ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମୀର୍ଜାପୁର ପଞ୍ଚାୟତ ସାଲେପୁର ନିକଟରେ ଥିବା ଏକ ବୁଦା ଭିତରୁ ମଙ୍ଗଳବାର ନବଜାତ ଶିିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସାଲେପୁର ଗ୍ରାମରେ ଜଣେ ମହିଳା ଆଜି ସକାଳୁ ବୁଦା ନିକଟକୁ ଶୌଚ ହେବାକୁ ଯାଇଥିଲେ। ତେବେ ସେଠାରେ ସଂପୃକ୍ତ ଶିଶୁକନ୍ୟାର କାନ୍ଦ ଶୁଣିବାକୁ ପାଇଥିଲେ ମହିଳା । ସଙ୍ଗେସଙ୍ଗେ ଏ ସମ୍ପର୍କରେ ସେ ଗ୍ରାମବସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଶିଶୁ କନ୍ୟାକୁ ମହିଳା ନିଜ ଘରକୁ ଆଣିଥିଲେ । ଏହାପରେ ଆଶାକର୍ମୀଙ୍କ ସହାୟତାରେ ଶିଶୁକନ୍ୟାକୁ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶିଶୁକନ୍ୟାର ଚିକିତ୍ସା କରିବା ପରେ ଏବେ ତାର ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଅଛି ବୋଲି କହିଛନ୍ତି। ତେବେ ଶିଶୁଟି ଭୋକରେ ଥିବାରୁ ତାର ଏଭଳି ଅବସ୍ଥା ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏନେଇ ପୁଲିସରେ ଖବର ଦେବା ପରେ ଶିଶୁକନ୍ୟାଟିର ମାଆ କିଏ ଓ କିଭଳି ଅବସ୍ଥାରେ ନୀରିହ ଶିଶୁଟିକୁ ଏଭଳି ବୁଦା ନିକଟରେ ପକାଇ ଚାଲି ଯାଇଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର