ନବରଙ୍ଗପୁର: ବୟଫ୍ରେଣ୍ଡ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ଯୁବତୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗାଁରେ ଜଣେ ୧୭/୧୮ ବର୍ଷୀୟା ଯୁବତୀଙ୍କ ସେକ୍ସ ଭିଡିଓ ଭାଇରାଲ ହେବା ପରେ ସେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ମୃତ ଯୁବତୀଙ୍କ ବାପା ଝରିଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ କରିଛି। ରାଜ୍ୟର ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଗଠିତ ସ୍ୱତନ୍ତ୍ର ଟିମ୍‌ର ସମସ୍ତ ଉଦ୍ୟମ ସତ୍ତ୍ୱେ ବାରମ୍ବାର ସେକ୍‌ସ ଭିଡିଓ ଭାଇରାଲ ହେବା ଘଟଣା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଝରିଗାଁର ଜଗନ୍ନାଥ ଗୌଡ଼ ନାମକ ଜଣେ ଯୁବକ ମୁଣ୍ଡାଗୁଡ଼ା ଗ୍ରାମକୁ ଚାଷ କାର୍ଯ୍ୟ କରିବାକୁ ଯାଇଥାନ୍ତି। ଏହି ସମୟ ମଧ୍ୟରେ ସେହି ଗ୍ରାମର ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଏହି ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରାଯାଇ ଏହାକୁ ଭାଇରାଲ କରି ଦିଆଯାଇଥିଲା। ଏ ନେଇ ଯୁବତୀ ଜଣକ ଜାଣିବା ପରେ ଗତକାଲିି ସକାଳେ ଗାଁ ପାଖ ଜଙ୍ଗଲକୁ ଯାଇ ବେକରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ। ଖବର ପାଇ ଗାଁ ଲୋକେ ଜଙ୍ଗଲରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ଘରକୁ ଆଣୁଥିବା ବାଟରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ସମୟରେ ଗାଁର ଜଣେ ଯୁବକ ମୃତ ଯୁବତୀଙ୍କ ବାପାଙ୍କୁ ଜଗନ୍ନାଥଙ୍କ ସହିତ ମୃତ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଦେଖାଇ କହିଥିଲେ ଯେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକଲଜ୍ୟା ଭୟରେ ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଏହା ଜାଣିବା ପରେ ମୃତ ଯୁବତୀଙ୍କ ବାପା ଜଗନ୍ନାଥ ଗୌଡ଼ଙ୍କ ନାମରେ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଜଗନ୍ନାଥ ଭିଡିଓ ଭାଇରାଲ କରିଛନ୍ତି କିମ୍ବା ଅନ୍ୟ କେହି ଭିଡିଓ ଭାଇରାଲ କରିଛନ୍ତି ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର