ଛାତ୍ରୀଙ୍କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ

ଫୁଲବାଣୀ: ଫୁଲବାଣୀ ବ୍ଳକ ମଂଗଳ ବିଭାଗ ଦ୍ଵାରା ପରିଚାଳିତ ପକାନାଗାଁ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏଭଳି ଅଭିଯୋଗ ଆଣିବା ପରେ ଜିଲ୍ଲା ମଂଗଳ ଅଧିକାରୀ ଓ ଚାଇଲନ ଲାଇନ ଟିମ ତଦନ୍ତ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସହ ମାଟ୍ରନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ମଂଗଳ ଅଧିକାରୀ ଚାରୁଲତା ମଲ୍ଲିକ ଜିଲ୍ଲାପାଳଙ୍କୁ ସୁପାରିଶ କରାଯାଇଛି। ଏହା ବାଦ୍‌ ପ୍ରଧାନଶିକ୍ଷକଙ୍କ ନାଁରେ ପୁଲିସ ନିକଟରେ ଏଫଆଇଆର କରାଯିବ ବୋଲି ସେ କହିଛନ୍ତି।

ଘଟଣା ପରେ ସ୍କୁଲ କ୍ୱାଟରରେ ରହୁଥିବା ୪-୫ ଶିକ୍ଷକଙ୍କୁ ବାହାର କରି ଦିଆଯାଇଛି। ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ତାଙ୍କ ଘରକୁ ଫୋନ କରିବାକୁ ମାଟ୍ରନଙ୍କୁ କହିଥିଲେ। ହେଲେ ବାଲାନସ ନାହିଁ କହି ମାଟ୍ରନ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ତା’ପରେ ଛାତ୍ରୀ ଜଣକ କ୍ୱାର୍ଟରରେ ରହୁଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାଶୀନାଥ ବେହେରାଙ୍କ ପାଖକୁ ଯାଇଥିଲେ। ତାଙ୍କ ଫୋନରେ ପରିବାର ସହ କଥା ହେବା ସମୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବେହେରା କାଳେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ବ୍ୟବହାର କରିଥିଲେ, ଏନେଇ ଛାତ୍ରୀ ଜଣକ ଆଜି ଘଟଣା ସମ୍ପର୍କରେ କହିବା ପରେ ତନାଘନା ଆରମ୍ଭ ହୋଇଥିଲା।

କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆଜି ସଂଧ୍ୟାରେ ସୁପାରିଶ ଫାଇଲ ପଠାଯାଇଛି ବୋଲି ମଂଗଳ ଅଧିକାରୀ କହିଛନ୍ତି। କନ୍ଧମାଳରେ ଏଭଳି ଘଟଣା ବାରମ୍ବାର ଘଟୁଛି। ଦୋଷୀଙ୍କ ବିରୋଧରେ ପ୍ରଶାସନିକ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ହେଉଛି। ତା ସତ୍ତ୍ୱେ ଏଭଳି ଘଟଣା ବନ୍ଦ ହେବା ବଦଳରେ ପୁନର୍ବାର ହେବା ଉଦବେଗର ବିଷୟ ହୋଇ ପଡିଛି।

ସମ୍ବନ୍ଧିତ ଖବର