ନବରଙ୍ଗପୁର: ପୁଲିସ ତଦନ୍ତ ଆଳରେ ବୃଦ୍ଧାଙ୍କ ଠାରୁ ୨୦ ଗ୍ରାମ ସୁନା ଅଳଙ୍କାର ଲୁଟ

ନବରଙ୍ଗପୁର: ଦିନକୁ ଦିନ ନବରଙ୍ଗପୁର ସହରରେ ରାହାଜାନି ବଢ଼ି ଚାଲିଛି। ଏବେ ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ। ଦୁର୍ବୃତ୍ତମାନେ ଗଡଖାଇ ସାହିର ଜି.ପ୍ରଭାବତୀ (୬୩) ଗୁରୁବାର ସଂଧ୍ୟା ପ୍ରାୟ ୫.୩୦ରେ ସହର ମଧ୍ୟରେ ଭ୍ରମଣ କରିବା ସମୟରେ ରାମ ମନ୍ଦିର ଠାରୁ ଚାଉଁରିଆଗୁଡା ମଧ୍ୟରେ ପୁଲିସ ତଦନ୍ତ ନାମରେ ଅେଇ ଭଳି ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ମୂଖ୍ୟ କିରାଣୀ ଜି.ସତ୍ୟରାଓଙ୍କ ଧର୍ମ ପତ୍ନୀ ଜି.ପ୍ରଭାବତୀ ସାଂଧ୍ୟ ଭ୍ରମଣରେ ଚାଉଁରିଆଗୁଡା ଅଭିମୁଖେ ବାହାରିଥିଲେ। ଆଇସିଆଇସିଆଇ ବ୍ୟାଙ୍କ ଠାରୁ କିଛି ମାତ୍ର ଦୁରରେ ହଠାତ ୨ ଜଣ ଯୁବକ ବାଇକରେ ଆସି ମାଉଁସି ମାଉଁସି ବୋଲି ୩ ଥର ଡାକିଲେ। ବୃଦ୍ଧା ଜଣକ ଅଟକି ଯିବାରୁ ତାଙ୍କ ନିକଟକୁ ଆସି ଆଗରେ ପୁଲିସ ଚେକିଂ ଚାଲିଛି। କୌଣସି ବ୍ୟକ୍ତି ସୁନା ଅଳଙ୍କାର ପିନ୍ଧିଥିବାର ଦେଖିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ କହିଥିଲେ। ଆମେ ବି ପୁଲିସ କର୍ମଚାରୀ। ଏଣୁ ଆମକୁ ତୁମେ ପିନ୍ଧିଥିବା ସୁନା ହାର କୁ ଦଅ। ଆମ୍ଭେ ଏହି ଅଳଙ୍କାରକୁ ଏକ କାଗଜରେ ବାନ୍ଧିଦେଲେ ପୁଲିସ ଏହାକୁ ଦେଖି କିଛି କରିବ ନାହିଁ ବୋଲି କହିଥିଲେ।

ଏ ମଧ୍ୟରେ ମହିଳାଙ୍କ ସୁନା ଅଳଙ୍କାର ଅସଲି ନା ନକଲି ଜାଣିବା ପାଇଁ ମହିଳାଙ୍କ ପୁରା ପରିଚୟ ପଚାରିଥିଲେ। ତାଙ୍କ ସ୍ୱାମୀ ଓ ପୁଅ କଣ କରନ୍ତି ବୋଲି ପଚାରିଥିଲେ। ପୁରା ଠିକଣା ସଂଗ୍ରହ କରିଥିଲେ। ପ୍ରଭାବତୀ ନିଜର ସୁନା ଅଳଙ୍କାରକୁ ପିନ୍ଧା ଶାଢ଼ିରେ ଲୁଚାଇଦେଇଥିଲେ। ସେ ଏହି ସୁନା ଦେବା ପାଇଁ ଅରାଜି ହୋଇଥିଲେ। ପ୍ରଭାବତୀଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଅନ୍ୟ ଏକ ଯୁବକଙ୍କୁ ରାସ୍ତାରେ ଡକାଇ ତାଙ୍କୁ ବି ସେହି ଭଳି କହି ତାଙ୍କ ଠାରୁ ସୁନା ଅଳଙ୍କାର ନେଇ ଏକ କାଗଜ ମୁଣିରେ ପୁଣି ଦେଇଥିଲେ। ତେବେ ଶେଷ ମୂହୁର୍ତ୍ତରେ ପ୍ରଭାବତୀ ଦେବାକୁ ଇଛା ନଥିଲେ ବି ପାଖରେ କେହି ଲୋକ ନଥିବାର ଦେଖି ମନରେ ଭୟ ଜାତ ହେବାରୁ ବାଧ୍ୟ ହୋଇ ଗଳାରେ ପିନ୍ଧିଥିବା ସୁନାର ମଙ୍ଗଳ ସୁତ୍ରକୁ ବାହାର କରି ଦେଲେ।

କେଇ ସେକେଣ୍ଡ ମଧ୍ୟରେ ଉକ୍ତ ଯୁବକ ୨ ଜଣ ଏହି ସୁନା ଅଳକଙ୍କାରକୁ ନେଇ ତାର ପ୍ରତିବଦଳରେ କିଛି ଗୋଡିକୁ କାଗଜ ମଧ୍ୟରେ ରଖି ଏକ ପଲିଥିନ ମଧ୍ୟରେ ପୁରାଇ ପୁଣି ମହିଳାଙ୍କୁ ଦେଇ ଘଟଣା ସ୍ଥଳରୁ ସହର ଆଡକୁ ଚାଲି ଯାଇଥିଲେ। ସେମାନେ ଗଲା ପରେ ପଲିଥିନ ଖୋଲିବା ପରେ କାଗଜ ମଧ୍ୟରେ ଖାଲି ଗୋଡି ରହିଥିଲା। ଖବର ପାଇଁ ନବରଙ୍ଗପୁର ଥାନା ଏଏସଆଇ ଆର.ଏନ.ପ୍ରଧାନ ଓ ଷ୍ଟାଫ ପ୍ରଭାବତିଙ୍କ ଘରକୁ ଯାଇ ତଦନ୍ତ କରି ଫେରିଛନ୍ତି।

ସମ୍ବନ୍ଧିତ ଖବର