ବାତ୍ୟା ଆଶଙ୍କାରେ ଗଞ୍ଜାମ ଚାଷୀ ଛାତି ଧଡ୍‌ଧଡ୍‌, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଗୋପାଳପୁର ସମୁଦ୍ରରେ ୧ ନମ୍ବର ବିପଦ ସଙ୍କେତ, ଆଳୁ ୨୨କୁ ପିଆଜ ୬୦ ଟଙ୍କା

ବ୍ରହ୍ମପୁର: ପ୍ରାକୃତିକ ବିପର୍ଯ୍ୟୟ ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି। ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଛି। ଫାଇଲିନ, ହୁଡ୍‌ହୁଡ୍‌, ତିତଲି ଓ ଫନି ଓ ଅକ୍ଟୋବର ଲଗାଣ ବର୍ଷା ପ୍ରକୋପ ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ବାତ୍ୟା ଆଶଙ୍କା ନେଇ ଚାଷୀଙ୍କ ଛାତି ଧଡ଼୍‌ଧଡ଼୍‌ ହେଉଛି। ଚଳିତ ବର୍ଷ ଲଘୁଚାପ ବର୍ଷା ପ୍ରଭାବରେ ୪ଥର ଲଗାଣ ବର୍ଷା ଗଞ୍ଜାମର ଚାଷୀ ଓ ଜନସାଧାରଣଙ୍କୁ କନ୍ଦାଇ ସାରିଲାଣି।ଏବେ ପୁଣି ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ସହ ବାତ୍ୟାର ରୂପ ନେବା ଆଶଙ୍କା ସୃଷ୍ଟି କରିଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସଜାଗ ରହିବା ଲାଗି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ଖବର ପ୍ରଚାରିତ ହେବା କ୍ଷଣି ଗଞ୍ଜାମ ଜିଲ୍ଲାରେ ଅତ୍ୟାବଶକ ସାମଗ୍ରୀ ଦର ବୃଦ୍ଧି ପାଇବାରେ ଲାଗିଛିଯ ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।

ଗୋପାଳପୁର ଡପ୍ଲାର ରାଡାର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ସନ୍ଧ୍ୟାରେ ଅବପାତର ରୂପ ନେଇଛି। ଏହା ପରାଦ୍ଵୀପ ଠାରୁ ୮୯୦ କିମି ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ଅଛି। ଏହାର ନାମ ‘ବୁଲ୍‌ବୁଲ୍‌’ ରହିବ ବୋଲି କୁହାଯାଉଛି। ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ବର୍ଷା ହେବାର ଅନୁମାନ କରାଯାଉଛି। ଗୋପାଳପୁର ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ୪୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛିଯ ସମୁଦ୍ର ଅଶାନ୍ତ ରହିବଯ ମତ୍ସଜୀବୀମାନଙ୍କୁ ସମୁଦ୍ର ମନା କରାଯାଇଛି। ବାତ୍ୟା ବୁଧବାର ଗୋପାଳପୁର ରାଡାର ସୀମାକୁ ଆସିବ ବୋଲି ଡପ୍ଲାର ରାଡାରର ପାଣିପାଗ ବିଜ୍ଞାନୀ କେ.ଏସ୍‌.ମୂର୍ତ୍ତି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଆଦି ଦର ବୃଦ୍ଧି ପାଇଥିବା ଜଣାପଡିଛି। ପିଆଜ କିଲୋ ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଆଳୁ କେଜି ପିଛି ୨୨ଟଙ୍କାରେ ପହଞ୍ଚିଛି। ସେହିପରି କଞ୍ଚା ପରିବା ଦର ଅକାଶଛୁଆଁ ରହିଛି। ଟମାଟୋ କିଲୋ ୬୦ ଟଙ୍କା ରହିଥିବା ବେଳେ କାକୁଡି ୫୦ଟଙ୍କା, ବାଇଗଣ ୪୦ଟଙ୍କା, ବିନ୍‌ସ ୭୦ଟଙ୍କା, ଫୁଲକୋବି ୭୦ ଟଙ୍କାରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର