ସରକାରଙ୍କୁ ସହର ଚିନ୍ତା:ନଗର ଉନ୍ନୟନ କମିଶନରଙ୍କ ସମୀକ୍ଷା ବୈଠକ

ଯୋଗଦେଲେ ୪ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ନିର୍ବାହୀ ଅଧିକାରୀ

ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନକୁ ଗୁରୁତ୍ୱ
ଏନ୍‌ଏସିର ପ୍ରତିଓ୍ଵାର୍ଡକୁ ୧୫ ଲକ୍ଷ, ପୌରପାଳିକାର ଓ୍ଵାର୍ଡକୁ ୨୫ଲକ୍ଷ ଅନୁଦାନ
ରାୟଗଡ଼ା: ଆଗାମୀ ପୈାର ନିର୍ବାଚନକୁ ଦୃଷ୍ଟିରେ ରଖି ସହରାଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ୫ ମାସ ପରେ ଦ୍ୱିତୀୟ ଥର ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ କମିଶନର ଭି ମାଥିଭାଥନ ରାୟଗଡ଼ାରେ ପହଞ୍ଚି ଅବିଭକ୍ତ କୋରାପୁଟ ଜିଲ୍ଲାର ପୈାର ସଂସ୍ଥାଗୁଡିକର କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ଉନ୍ନୟନ ପ୍ରକଳ୍ପ ଓ ସହରାଞ୍ଚଳବାସୀଙ୍କ ମୈାଳିକ ସୁବିଧା ପାଇଁ ଥିବା ଯୋଜନା ଗୁଡ଼ିକର ସମୀକ୍ଷା କରିଛନ୍ତି। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ସଚିବ ଭି ମାଥିଭାଥନ ଅବିଭକ୍ତ କୋରାପୁଟ ଜିଲ୍ଲାର ୭ଟି ପୌର ପରିଷଦ ଏବଂ ୪ ଟି ଏନଏସି ଅଞ୍ଚଳର ଉନ୍ନୟନ ପ୍ରକଳ୍ପ ସଂପର୍କରେ ଟିକିନିଖି ସମୀକ୍ଷା କରିଥିଲେ। ଜିଲ୍ଲାପାଳମାନେ ପୌରାଞ୍ଚଳର କାର୍ଯ୍ୟଧାରାରେ ଅଧିକା ହସ୍ତକ୍ଷେପ କରିବା ଉପରେ କମିଶନର ଗୁରୁତ୍ୱାରୋପ କରିଥିଲେ।
ବିଶେଷ କରି ବସ୍ତିବାସିନ୍ଦାଙ୍କୁ ଜମି ହସ୍ତାନ୍ତର ଅଧିକାର ଆଇନ ସଂପର୍କିରେ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ଓ ନିର୍ବାହୀ ଅଧିକାରୀଙ୍କୁ କମିଶନର ଶ୍ରୀ ମାଥିଭାତନ ଅବଗତ କରାଇଥିଲେ। ଏନଏସି ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ୩୫୦ ବର୍ଗ ମିଟର ଏବଂ ପୌରପାଳିକା ଅଞ୍ଚଳରେ ବାସ କରୁଥିବା ପରିବାରକୁ ୪୫୦ ବର୍ଗମିଟର ଜମି ପ୍ରଦାନ କରାଯିବ। ସେହିଭଳି ପୈାରାଞ୍ଚଳର ପ୍ରତ୍ୟେକ ୱାର୍ଡ ଉନ୍ନତି କରଣ ପାଇଁ ୨୫ ଲକ୍ଷ ଟଙ୍କା ଏବଂ ଏନଏସିର ୱାର୍ଡ ପାଇଁ ୧୫ ଲକ୍ଷ ଟଙ୍କା ମଂଜୁର କରାଯିବ। ଏଥିପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ପୌର ସଂସ୍ଥା ଓ ଏନଏସି ଶତ ପ୍ରତିଶତ ସମସ୍ତ ଟିକସ ଆଦାୟ ପାଇଁ ନଗର ଉନ୍ନୟନ କମିଶନର ନିର୍ଦେଶ ଦେଇଥିଲେ। ଏହା ବ୍ୟତୀତ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ, ସମସ୍ତଙ୍କୁ ପାଇପ ଯୋଗେ ପିଇବା ପାଣି,ଦିନକୁ ଦୁଇ ତିନି ଥର ଆବାର୍ଜନା ସଫା, ଶିଶୁ ଉଦ୍ୟାନ, ପାର୍କ, ଖେଳ ପଡ଼ିଆ, ଶ୍ମଶାନଘାଟ ନିର୍ମାଣ, ସବୁ ସାହିକୁ ଆଲୋକ ଓ ପକ୍କା ରାସ୍ତା ନିର୍ମାଣ ସହ ଗୁଣବତ୍ତା ପ୍ରତି ଦୃଷ୍ଟି ଦେବାକୁ କମିଶନର ନିର୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ବିଭାଗୀୟ ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ନିର୍ଦେଶକ ସଂଗ୍ରାମଜିତ ନାୟକ, ଯୁଗ୍ମ ସଚିବ ଶିବ ନାରାୟଣ ସାହୁ , ରାଜ୍ୟ ସଂଯୋଜକ ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଗୁଡ଼ାରୀ ଏନଏସିରେ ଉଲ୍ଲେଖନୀୟ ଅଗ୍ରଗତି ପାଇଁ ନିର୍ବାହୀ ଅଧିକାରୀ ଗାୟତ୍ରୀ ସାହୁଙ୍କୁ କମିଶନର ପ୍ରଶଂସା କରିଥିଲେ। ଏହି ବୈଠକରେ ରାୟଗଡ଼ା ଜିଲ୍ଲାପାଳ ଗୁହାପୁନମ ତାପସ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋରାପୁଟ ଜିଲ୍ଲାପାଳ ଅନୁପ କୁମାର ସାହୁ, ନବରଂଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡା,ମାଲକାନଗିରି ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦେଶକ ତଥା ପିଡ଼ି ଡ଼ିଆରଡ଼ିଏ ମଧୁ ସୂଦନ ମିଶ୍ର, କୋରାପୁଟ ଡ଼ିଆରଡ଼ିଏ ପିଡ଼ି ଦେବନ ପ୍ରଧାନ,ଜୟପୁର ଉପ-ଜିଲ୍ଲାପାଳ ତଥା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଚକ୍ରବର୍ତ୍ତୀ ସିଂହ ରାଥୋଡ଼, ଗୁଣପୁର ଉପ-ଜିଲ୍ଲାପାଳ ଅମ୍ରିତ ଋତୁରାଜ, ରାୟଗଡ଼ା ପୈାର ନିର୍ବାହୀ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, କୋରାପୁଟ ନିର୍ବାହୀ ଅଧିକାରୀ ଗୈାର ଚନ୍ଦ୍ର ପଟନାୟକ, ଗୁଡ଼ାରୀ ଏନଏସି ନିର୍ବାହୀ ଅଧିକାରୀ ଗାୟତ୍ରୀ ସାହୁ, ଗୁଣପୁର ଏନଏସି ନିର୍ବାହୀ ଅଧିକାରୀ ଭାବଗ୍ରାହୀ ସାହୁିଙ୍କ ସମେତ ବିଭିନ୍ନ ପୌରପାଳିକା ଓ ଏନଏସି ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର