ବରଯାତ୍ରୀ ମଟନ ମାଗିବା ସହିତ କନ୍ୟାପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଦେଲେ ଗାଳି, ଶିଶୁପାଳ ହୋଇ ଫେରିଲା ବର, ମଙ୍ଗୁଳା କନ୍ୟା ଆଉ ଜଣଙ୍କୁ କଲା ବିବାହ

କେନ୍ଦ୍ରାପଡା: କେନ୍ଦ୍ରାପଡାର ମହାକାଳପଡାରେ ବିବାହ ଭୋଜିରେ ବରଯାତ୍ରୀଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଥିଲା। ଫଳରେ ବର ଶିଶୁପାଳ ହୋଇ ଫେରିଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଗତ ରବିବାର ଦିନ କେନ୍ଦ୍ରାପଡାର ମହାକାଳପଡାରୁ ମାହାଙ୍ଗାର ଦେବରିଓ ଗାଁକୁ ପ୍ରିୟରଞ୍ଜନ ବର ହୋଇ ଆସିଥିଲେ । କନ୍ୟା ଘରେ ବର ପହଞ୍ଚିବା ପରେ ଭୋଜି ଭାତକୁ ନେଇ ବରଯାତ୍ରୀଙ୍କ ସହ କନ୍ୟାପକ୍ଷଙ୍କର ବଚସା ଆରମ୍ଭ ହୋଇଥିଲା । ବରଯାତ୍ରୀ ଅଧିକ ମଟନ ଖାଇବାକୁ ମାଗିବା ସହ କନ୍ୟା ଘର ଲୋକଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବାରୁ ବିବାଦର ସୂତ୍ରପାତ ଆରମ୍ଭ ହୋଇଥିଲା । ଚେୟାର ଭାଙ୍ଗିବା ସହ କନ୍ୟାର ଖୁଡିଙ୍କୁ ମାଡ ମାରିଥିଲେ ବରପକ୍ଷ । ଏପରିକି ଖୋଦ ବର ନିଜେ ଛାତ ଉପରକୁ ଯାଇ ପାଟିତୁଣ୍ଡ କରିବା ପରେ ବିବାଦ ଅଧିକ ଉଗ୍ରରୂପ ନେଇଥିଲା । ଆଉ ଏହାପରେ କନ୍ୟାର ଗାଁ ଲୋକ ବରଯାତ୍ରୀଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିଲେ।

ତେବେ ବିବାଦର ସମାଧାନ ପୂର୍ବରୁ ଖୋଦ୍‌ କନ୍ୟା ପ୍ରିୟରଞ୍ଜନଙ୍କୁ ବିବାହ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ । ବରପକ୍ଷ ମଦ ପିଇ ଏଭଳି ଆଚରଣ କରିଥିବା ଅଭିଯୋଗ ଆଣିଥିଲେ କନ୍ୟାପକ୍ଷ । ଆଉ ଏହାସହ ବର ଓ ବରପକ୍ଷଙ୍କୁ ଅଟକ ରଖିଥିଲେ । ସ୍ଥାନୀୟ ପୁଲିସ ବରପକ୍ଷ ଗ୍ରାମରେ ଅଟକ ଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ କ୍ଷତିପୂରଣ ବାବଦକୁ ଟଙ୍କା ଦେବା ପରେ ବରପକ୍ଷ ଏଠାରୁ ମୁକୁଳିବେ ବୋଲି କନ୍ୟାପକ୍ଷ ଜିଦ୍‌ ଧରିଥିଲେ ।

ଆଉ ଶେଷରେ ପୁଲିସ ଉପସ୍ଥିତିରେ ୬ ଲକ୍ଷ ଟଙ୍କା ଦେଇ ଦୀର୍ଘ ୧୮ ଘଣ୍ଟା ପରେ କନ୍ୟା ବିନା ଶିଶୁପାଳ ହୋଇ ପ୍ରିୟରଞ୍ଜନ ଫେରିଥିଲେ । ଆଉ ମଙ୍ଗୁଳା କନ୍ୟାକୁ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକ ବିବାହ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର