ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟଣା: ସିଲ୍‌ ହେଲା ଗୁରୁଦେବ ନର୍ସିଂହୋମ୍‌

ତଦନ୍ତ ରିପୋର୍ଟରେ ଆସିଲା ତ୍ରୁଟି, କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍‌କୁ ଖିଲାପ୍‌

ବ୍ରହ୍ମପୁର: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣାରେ ଗୁରୁଦେବ ନର୍ସିଂହୋମ ସିଲ ହୋଇଛି। ବ୍ରହ୍ମପୁରସ୍ଥିତ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ରୋଡ଼ ବ୍ରହ୍ମାନଗରରେ ଥିବା ଏହି ନର୍ସିଂହୋମ୍‌କୁ ପ୍ରଶାସନ ଆଜି ସଂଧ୍ୟାରେ ସିଲ୍‌ କରିଛି। କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍‌ ଅନୁସାରେ ଏହି ନର୍ସିଂହୋମ୍‌ ବିଭିନ୍ନ ସର୍ତ୍ତାବଳୀ ପୂରଣ କରୁନଥିବା ତଦନ୍ତରୁ ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନର ଏକ ଟିମ୍‌ ନର୍ସିଂହୋମକୁ ସିଲ୍‌ କରିଛନ୍ତି। ଯେଉଁ ସର୍ତ୍ତ ଉପରେ ନର୍ସିଂହୋମ୍‌କୁ ସିଲ୍‌ କରାଯାଇଛି ସେଗୁଡ଼ିକର ଆବଶ୍ୟକ କାଗଜପତ୍ର ଦାଖଲ ପରେ ଜିଲ୍ଲାପାଳ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି।

ନର୍ସିଂହୋମ୍‌ରେ ବର୍ତ୍ତମାନ ୧୬ଜଣ ଗର୍ଭବତୀ ଅଛନ୍ତି। ସିଟି ହସ୍ପିଟାଲର ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବେ। ୭ଦିନ ସମୟ ମଧ୍ୟରେ ସେମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ନହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡିସ୍‌ଚାର୍ଜ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁଦେବ ନର୍ସିଂହୋମରେ ଗତ ୧୭ତାରିଖ ରାତିରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଲାଞ୍ଜିପଲ୍ଲୀ ମାର୍କଣ୍ଡେଶ୍ୱରନଗର ନିବାସୀ ଐଶ୍ୱର୍ଯ୍ୟା ସିଂହଦେଓ(୨୪)ଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ୱାମୀ ଶୁଭ୍ରଜିତ ସାମନ୍ତ ବେଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ପରୀକ୍ଷା ପାଇଁ ଭିସେରା ମଧ୍ୟ ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର