ଗ୍ୟାସଟାଙ୍କିରୁ ନିଆଁ ଲାଗି ଜଳିଗଲା ୭ ବଖରା ଘର, ନଗଦ ଟଙ୍କା, କାଜୁ

ନବରଙ୍ଗପୁର: ଗତକାଲି ରାତି ପ୍ରାୟ ୧୦ଟା ବେଳେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ପୁଜାରିଗୁଡ଼ା ଗାଁର କୃଷ୍ଣକୁମାର ଶର୍ମା ନାମକ ଜଣେ ବ୍ୟବସାୟୀଙ୍କ ଘରେ ଥିବା ଏଲପିଜି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ତାଙ୍କର ୭ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ନଗଦ ୨ଲକ୍ଷ ୫୦ ହଜାର ଟଙ୍କା ସହିତ ୪୦ ବସ୍ତା ଧାନ, ୨୫ ବସ୍ତା କାଜୁବାଦାମ ସମେତ ପ୍ରାୟ ୧୦ ଲକ୍ଷରୁ ଊର୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲିି ରାତିରେ ଶ୍ରୀ ଶର୍ମାଙ୍କ ପରିବାର ଘର କବାଟ ଦେଇ ଜଣେ ବନ୍ଧୁଙ୍କ ଘରକୁ ରାତ୍ରୀଭୋଜନ ପାଇଁ ଯାଇଥିଲେ।ଏହି ସମୟରେ ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ କୌଣସି ପ୍ରକାର ଏଥିରେ ନିଆଁ ଲାଗିଯାଇଥିଲା। ତେବେ କିଛି ସମୟ ପରେ ଏହି ନିଆଁ ହୁ ହୁ ହୋଇ ଜଳିଥିଲା। ତେବେ ଏଲପିଜି ଗ୍ୟାସ ଟାଙ୍କିିରୁ ଗ୍ୟାସ ଖୁବ୍‌ ଜୋରରେ ବାହାରିବାରୁ ଏହା ଏତେ ଜୋରରେ ଜଳିଥିଲା ଯେ ଘରପାଖକୁ ଯିବା ପାଇଁ ଲୋକେ ଭୟ କରିଥିଲେ। ତେବେ ପାପଡ଼ାହାଣ୍ଡି ଓ ଡାବୁଗାଁରୁ ଦମକଳ ଆସି ନିଆଁକୁ ଆୟତ କରିଥିଲେ।

ସମ୍ବନ୍ଧିତ ଖବର