ଲକଡାଉନ ସମୟରେ ବିହାରକୁ ଚାଲାଣ ବେଳେ ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ନବରଙ୍ଗପୁର/ମଇଦଲପୁର: ଲକଡାଉନର ସୂଯୋଗ ନେଇ କୋରାପୁଟରୁ ବିହାରକୁ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ପାପଡାହାଣ୍ଡି ପୁଲିସକୁ ଏକ ବିଶେଷ ସୂତ୍ରରୁ ସୂଚନା ଆସିଥିଲା ଯେ ପ୍ରାୟ ୫ କୁଇଣ୍ଟାଲ ଗଞ୍ଜେଇ ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଛି। ପୂର୍ବରୁ କଳାହାଣ୍ଡି ସୀମାନ୍ତ ମଇଦଲପୁର ଆରଏମସି ଫାଟକ ନିକଟରେ ପାପଡାହାଣ୍ଡି ଡିଏସପି ପ୍ରତ୍ୟୁଷ ମହାପାତ୍ର, ଏସଆଇ ଦିଲ୍ଲିପ କୁମାର ପ୍ରଧାନ, ଏଏସଆଇ ଅନାମ ଦିଆନ ଓ ଷ୍ଟାଫ ଜଗି ରହିଥିଲେ। ସେହି ସମୟରେ ପାପଡାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ଟ୍ରକ ନଂ ୟୁପି ୬୦ ଟି ୧୦୦୮ ପୁଲିସ କାବୁ କରିଥିଲା ।

ଟ୍ରକରେ ୨ଥାକିଆ ତାରପଲିନ୍ ଘୋଡା ଯାଇଥିଲା। ଟ୍ରକଟି ଖାଲି ଥିବା ବେଳେ ଟ୍ରକରେ ମାଲ ଭରିଥିବା ଭଳି ଘୋଡାଯାଇଥିଲା। ଟ୍ରକ ଡାଲା ଉପର ତାରପଲିନ୍ ଖୋଲିବା ପରେ ତଳେ ପୁଣି ଏକ ତାରପଲିନ୍ ରହିଥିଲା । ସେହି ତାରପଲିନ୍ ତଳେ ଗଞ୍ଜେଇ ଭରି ଥିବା ୮ ଗୋଟି ବସ୍ତାକୁ ବାହାର କରାଯାଇଥିଲା। ଉକ୍ତ ଟ୍ରକରେ ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ବ୍ୟକ୍ତି ରହିଥିଲେ। ଉକ୍ତ ବ୍ୟକ୍ତିମାନେ ହେଲେ ବିହାର ଇଦପୁରର ମନୋଜ ଯାଦବ, ବିହାରର ଛପରା ଅଞ୍ଚଳର ସତେନ୍ଦର ସର୍ମା ଓ ବିହାର ଉଦପୁରର ଦିନେଶ ଯାଦବ । ଉକ୍ତ ୩ ଜଣଙ୍କୁ ପାଲପଡାହାଣ୍ଡି ପୁଲିସ ଉଠାଇ ନଇେ ତଦନ୍ତ ଜାରି ରଖିଛି। ତହସିଲଦାର ପ୍ରେମଲାଲ ହିଆଲଙ୍କ ଉପସ୍ଥିତିରେ ଟ୍ରକ ଓ ଗଞ୍ଜେଇ ଗୁଡିକ ଓଜନ କରାଯାଇଥିଲା।

ତେବେ ଓଜନ ବେଳେ ଅନ୍ଧାର ହୋଇଥିବାରୁ ପ୍ରକୃତ କେତେ ପରିମାଣର ଓଜନ ର ପରିମାଣ ଏବେ ସୁଦ୍ଧା ଜଣାପଡିନାହିଁ। ତେବେ ଟ୍ରକର ପୁରା ବଡିକୁ ଯାଞ୍ଚ କରିବା ପରେ ପ୍ରକୃତରେ କେତେ ପରିମାଣର ଗଞ୍ଜେଇ ଏବଂ କେଉଁଠି ରହିଛି ତାହା ତଦନ୍ତ ଜାରି ରହିଥିବାର ଡିଏସିପି ପ୍ରତ୍ୟୁଷ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଉକ୍ତ ଟ୍ରକରେ ଗଞ୍ଜେଇ କୋରାପୁଟରୁ ବିହାର ଚାଲାଣ ହେଉଥିବା ନେଇ ଟ୍ରକର କର୍ମଚାରୀ ମାନେ ସୂଚନା ଦେଇଛନ୍ତି। ତେବେ ତଦନ୍ତ ଜାରି ରହିଥିବାରୁ ସବିଶେଷ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର