ବୀରମିତ୍ରପୁର: ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଆତ୍ମହତ୍ୟା କଲେ ଯୁବକ

ବୀରମିତ୍ରପୁର: ବିବାହ ହୋଇଥିଲା କୋଡିଏ ବର୍ଷ ତଳେ। ମାତ୍ର ଏବେ ବି ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ ସିଲାସ। ସ୍ତ୍ରୀ ପରକୀୟା ପ୍ରୀତିରେ ମସଗୁଲ ହୋଇ ତାଙ୍କୁ ଗୁରୁତ୍ୱ ଦେଉ ନ ଥିବା ଅନୁଭବ କରୁଥିଲେ ସିଲାସ। ପ୍ରତିଦିନ ନିଜ ଆଖି ଆଗରେ ସ୍ତ୍ରୀଙ୍କ ପରକୀୟା ପ୍ରୀତି ଦେଖି ଅତିଷ୍ଠ ହୋଇ ପଡ଼ିଥିଲେ ସିଲାସ। ଶେଷରେ ନେଇଥିଲେ କଠୋର ନିଷ୍ପତ୍ତି। ଖାଇପିଇ କମ୍ବଳ ଘୋଡେଇ ହୋଇ ଶୋଇଥିବା ସ୍ତ୍ରୀଙ୍କୁ ଏକ ଧାରୁଆ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି ସିଲାସ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତ ଦେହ ଦୁଇଟିକୁ ଜବତ କରିଛି। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଅନ୍ଧାରି ଗାଁରେ।


ରାଉରକେଲା ଝିରପାଣି ଅଞ୍ଚଳର ସିଲାସ କାଣ୍ଡୁଲନା (୪୨)ଓ ତାଙ୍କ ପତ୍ନୀ ପ୍ୟାରୀ କାଣ୍ଡୁଲନା (୩୭)ଦୀର୍ଘ ଦିନ ହେବ ବୀରମିତ୍ରପୁର ଥାନା ଅନ୍ତର୍ଗତ ଅନ୍ଧାରି ଗାଁରେ ରହୁନ୍ତି। ସେମାନଙ୍କ ଦୁଇ ପୁଅ ରାଜ୍ୟ ବାହାରେ କାମ କରନ୍ତି। ସିଲାସ ସାମାନ୍ୟ ଭିନ୍ନକ୍ଷମ ହୋଇଥିବା ବେଳେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାନ୍ତି। ତେବେ ଗାଁ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ସବୁ ଠିକ୍‌ଠାକ ଚାଲିଥିବା ବେଳେ ସେମାନଙ୍କ ଜୀବନରେ ସନ୍ଦେହର ଝଡ଼ ଉଠିଥିଲା। ଏହି ସେନ୍ଦେହକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ଲାଗୁଥିଲା। ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ମାଲିସ କରିବା ବାହାନାରେ କାଣ୍ଡୁଲନାଙ୍କ ଘରକୁ ଆସିବା ଓ ତାଙ୍କ ସ୍ତ୍ରୀଙ୍କ ସହିତ ଅନ୍ତରଙ୍ଗ ହେବାକୁ ସହଜରେ କୁଆଡେ ଗ୍ରହଣ କରି ପାରି ନ ଥିଲେ ସିଲାସ। ପ୍ରତିଦିନ ଏପରି ଘଟିବାରୁ ଶେଷର ସ୍ତ୍ରୀଙ୍କୁ ଜୀବନରୁ ମାରି ନିଜେ ଜୀବନ ହାରି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଶ୍ରୀ କାଣ୍ଡୁଲନା। ଗତକାଲି ଅପରାହ୍‌ଣରେ ଗାଁରେ ଏକ ବିବାହ ନିର୍ବନ୍ଧ ଭୋଜି ଥିଲା। ଭୋଜି ଖାଇ ଉଭୟ ସ୍ୱାମୀ ସ୍ତ୍ରୀ ଘରକୁ ଫେରିଥିଲେ। ପରେ ଘର ଭିତରେ ସେହି ପରକୀୟା ପ୍ରୀତିକୁ ନେଇ ପାଟିତୁଣ୍ଡ ହୋଇଥିବା ପାଖ ପଡୋଶୀମାନେ ଶୁଣିଛନ୍ତି। ତେବେ ପ୍ୟାରୀ କାଣ୍ଡୁଲନା ଯାଇ ଖଟ ଉପରେ କମ୍ବଳ ଘୋଡ଼େଇ ହୋଇ ଶୋଇପଡ଼ିବାରୁ ଏହାକୁ ଏକ ସୁଯୋଗ ଭାବେ ନେଇଥିଲେ ସିଲାସ। ଘରେ ଥିବା ଏକ ଧାରୁଆ ଟାଙ୍ଗିଆରେ ସେ ପତ୍ନୀ ପ୍ୟାରୀଙ୍କ ବେକକୁ କାଟି ହତ୍ୟା କରିଥିଲେ। ପରେ ନିଜେ ଯାଇ ରୋଷେଇ ଘର ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ବିଳମ୍ବିତ ସନ୍ଧ୍ୟା ପଯ୍ୟନ୍ତ ସିଲାସଙ୍କ ଘର କବାଟ ନ ଖୋଲିବାରୁ ଓ ସେମାନଙ୍କର ଥିବା ଛେଳିଗୁଡ଼ିକ ଘର ଭିତରକୁ ଯାଇ ନ ପାରି ବୋବାଉଥିଲେ ମଧ୍ୟ କେହି କବାଟ ନ ଖୋଲିବାରୁ ପାଖ ପଡୋଶୀ ସନ୍ଦେହରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝରକାଭାଙ୍ଗି ଦେଖିବାରୁ ଉଭୟଙ୍କ ମୃତଦେହକୁ ଠାବ କରିଥିଲେ। ଏ ନେଇ ପୁଲସ ମାମଲା ରୁଜୁ କରି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର